କନକ ବ୍ୟୁରୋ : ଖୁବଶୀଘ୍ର ରାଜ୍ୟରେ ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । ଆଉ ଏହି ନିର୍ବାଚନ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ବଡ ଆହ୍ବାନ ହେବାକୁ ଯାଉଛି । ବିଜେପି ୧୦ମାସର ସଫଳତା ନେଇ ଭୋଟରଙ୍କ ପାଖକୁ ଯିବ । ଗୋଷ୍ଠୀ କନ୍ଦଳ ଭିତରେ ବିଜେଡି ଗଡରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିବାବେଳେ ଭକ୍ତ ଦାସଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବ କଂଗ୍ରେସ ।
ଆଗକୁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ୩ ଦଳ ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଞ୍ଚାୟତରେ ପଦ ଖାଲି ପଡିଲେ ୬ ମାସ ଭିତରେ ଉପନିର୍ବାଚନ ହେବା କଥା । କିନ୍ତୁ ଏହା ଏ ଯାଏଁ ହୋଇନାହିଁ । ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷକରି ପ୍ରଥମର ଥର ପାଇଁ ସରକାରକୁ ଆସିବା ପରେ ବିଜେପି ପାଇଁ ପଞ୍ଚାୟତ ଉପନିର୍ବାଚନ ହେବ ଏସଡି ଟେଷ୍ଟ । ୧୦ ମାସର ସରକାର ଭିତରେ ବିଜେପି ଉପରେ ଲୋକେ କେତେ ସନ୍ତୁଷ୍ଟ, ତାହା ଏହି ଉପନିର୍ବାଚନରେ ପ୍ରତିଫଳିତ ହେବ । ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି, ବୟସ୍କଙ୍କୁ ଭତ୍ତା ଓ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଭଳି ପ୍ରସଙ୍ଗକୁ ନେଇ ବିଜେପି ଭୋଟରଙ୍କ ପାଖକୁ ଯିବ ।
ସ୍ଥିତି ଜାହିର ଅପେକ୍ଷାରେ ବିଜେଡି
୨୪ ବର୍ଷ କ୍ଷମତାରେ ଥିବା ବିଜେଡି ହାତରୁ କ୍ଷମତା ଯିବା ପରେ ଦଳରେ ଏବେ ଗୋଷ୍ଠୀକନ୍ଦଳ ତେଜିଛି । ୱାକଫ ନେଇ ଦଳ ଦୁଇଭାଗ ହୋଇଛି । ତେଣୁ ପଞ୍ଚାୟତ ଉପନିର୍ବାଚନରେ ଗଡରକ୍ଷା ମୁଖ୍ୟ ବିରୋଧୀ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ସେହଭଳି ଭକ୍ତଦାସଙ୍କ ନେତୃତ୍ବରେ କଂଗ୍ରେସ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଦଳର ସମସ୍ତ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ଓ ମାର୍ଚ୍ଚ ୨୭ରେ କଂଗ୍ରେସ ଆନ୍ଦୋଳନ ପରେ କର୍ମୀଙ୍କ ମନୋବଳ ବଢିଛି । ତେବେ ପଞ୍ଚାୟତ ଉପନିର୍ବାଚନରେ ସଫଳତା ପାଇବାକୁ ହେଲେ କଂଗ୍ରେସକୁ ଆହୁରି ପରିଶ୍ରମ ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।
ରାଜ୍ୟରେ ୧୧୩୪ଟି ପଦ ପୂରଣ ପାଇଁ ପଞ୍ଚାୟତ ଉପନିର୍ବାଚନ ହେବ । ଏଥିମଧ୍ୟରେ ରହିଛି ୫ଟି ଜିଲ୍ଲାପରିଷଦ ସଭ୍ୟ , ୪୧ଟି ପଞ୍ଚାୟତ ସମିତି ସଦସ୍ୟ , ୪୫ ସରପଞ୍ଚ, ୨୭୨ ୱାର୍ଡ ମେମ୍ବର । ଆଉ ପ୍ରକ୍ରିୟା ଆରମ୍ଭ ପରେ ରାଜନୈତିକ ଦଳଗୁଡିକରେ ବି ହଲଚଲ ଦେଖିବାକୁ ମିଳିଛି ।