ଆମେ ଓଡ଼ିଆ ଭାରି ବଢିଆ । ଆମ ମହାପ୍ରଭୁ ଭୁଞ୍ଜନ୍ତି ୬୦ ପଉଟି ଭୋଗ ଆଉ ଆମେ ପାଳନ କରୁ ୧୨ ମାସରେ ୧୩ ଓଷା । ତନ୍ମଧ୍ୟରୁ ପ୍ରଧାନ ଆମ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ଅବସରରେ ପୂରା ଓଡ଼ିଶାରେ ପାଳନ ହୁଏ ନୂଆବର୍ଷ । ଚଳଚଞ୍ଚଳ ହୋଇପଡ଼େ ମଠରୁ ମନ୍ଦିର । ଖାସ୍ କରି ସଂକ୍ରାନ୍ତି ପାଇଁ ପରିବା ବଜାରରୁ ଆରମ୍ଭ କରି ଫଳ ବଜାର ପର୍ଯ୍ୟନ୍ତ ସବୁଠି ମହଙ୍ଗା ହୁଏ ପରିବା ଓ ଫଳ । 

Advertisment
pana
pana Photograph: (google)

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଆଜିର ଦିନରେ ପ୍ରତି ଘରେ ମା’ମାନେ ତୁଳସୀ ଚଉରା ମୂଳେ ପୂଜା କରି ପାଳନ କରନ୍ତି ପଣା ସଂକ୍ରାନ୍ତି । ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ପିଇ ପଣା ସଂକ୍ରାନ୍ତି ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ଭାବରେ ପାଳନ କରାଯାଏ । 

sankranti
sankranti Photograph: (google)

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ପିଇବାକୁ ଦିଆଯାଏ । ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ ।

ଓଡ଼ିଆ ନବବର୍ଷରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ସମସ୍ତେ ପ୍ରାୟତଃ ବେଲରେ ପଣା ତିଆରି କରି ଅତିଥି ଓ ସାହି ପଡ଼ିଶାଙ୍କୁ ଆପ୍ୟାୟିତ କରିଥା’ନ୍ତି । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଗୋଟିଏ ପାତ୍ରରେ ରଖାଯାଏ । ସେହି ପାତ୍ରରେ ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ଗୋଳି ମିକ୍ସରରେ ଗ୍ରାଇଣ୍ଡ୍ କରାଯାଏ । ତା’ପରେ ଏହି ପଣାକୁ ଗ୍ଲାସରେ ଛାଣି ବଳକା ଖଦଡ଼କୁ ବାହାର କରାଯାଏ । ତା’ଉପରେ ନଡ଼ିଆ କୋରା, କାଜୁ , ରାବିଡି ଓ ଗୋଲମରିଚ ଗୁଣ୍ଡ ମିଶାଇ ସୁଆଦିଆ ବେଲପଣା ପ୍ରସ୍ତୁତ କରାଯାଏ ।