କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ଠିକଣା ଉପରେ ଭାରତୀୟ ବାୟୁସେନାର ଘମାଘୋଟ ଆକ୍ରମଣରେ ଛାରଖାର ହେଲା ଆତଙ୍କୀଙ୍କ ଆଡ୍ଡା । ହେଲେ ଏଥିପାଇଁ ବଳିଦାନ ଦେଲେ ଭାରତୀୟ ଯବାନ । ଏମିତି ଜଣେ ଯବାନ  ଯିଏ ’ଅପରେସନ୍ ସିନ୍ଦୂର’ରେ ସହିଦ ହୋଇଯାଇଛନ୍ତି ।

Advertisment

ପାକିସ୍ତାନ ଆତଙ୍କୀ ଠିକଣାରେ ଭାରତୀୟ ଏୟାରଷ୍ଟ୍ରାଇକ୍ କଲା, ହେଲେ ପାକିସ୍ତାନ ମଧ୍ୟ ନିଜ ପଟୁ ଆକ୍ରମଣ କରିଛି । ସୀମାରେ ଗୁଳିମାଡ ସହ ମୋର୍ଟାର ମାଡ କରିଛି । ପାକିସ୍ତାନର ପାଲଟା ଗୁଳିମାଡରେ ସହିଦ ହୋଇଛନ୍ତି ହରିୟାଣା ପଲୱଲ ଜିଲ୍ଲା ମୋହମ୍ମଦପୁର ଗାଁର ବାସିନ୍ଦା ଯବାନ୍ ଲାନ୍ସନାୟକ ଦିନେଶ ଶର୍ମା । ଦିନେଶଙ୍କ ସହିଦ ହେବାର ଖବର ମିଳିବା ମାତ୍ରେ ପୂରା ଇଲାକାରେ ଶୋକର ଛାୟା ଖେଳିଯାଇଛି । ସହିଦ ଦିନେଶଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବାପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆଖାପାଖ ଲୋକଙ୍କ ସହ ନେତା,ମନ୍ତ୍ରୀ ପହଞ୍ଚିଛନ୍ତି । 

ଦିନେଶଙ୍କ ସହିଦ ଖବରରେ ଯେତିକି ମର୍ମାହତ ସେତିକି ଗର୍ବିତ ତାଙ୍କ ବାପା । ଅପରେସନକୁ ଯିବା ପୂର୍ବ ରାତି ପାଖାପାଖି ସାଢେ ୧୦ଟାରେ ଦିନେଶ ତାଙ୍କ ଭାଇଙ୍କ ସହ କଥା ହୋଇଥିଲେ । ଘରର ସମସ୍ତଙ୍କ କଥା ପଚାରି ବୁଝିଥିଲେ । ତା ପରଦିନ ଅପରାହ୍ନରେ ପୁଣିଥରେ ଦିନେଶଙ୍କ ଫୋନ୍ ଆସିଥିଲା । ହେଲେ କାମ ବ୍ୟସ୍ତତା ଯୋଗୁଁ କଲ ରିସିଭ କରିପାରିନଥିଲେ ସାନ ଭାଇ । ଆଉ ନିଜ ପଟୁ କଲ କରିବାବେଳକୁ ରିସିଭ କରିନଥିଲେ ଦିନେଶ । ତାପରେ ଆସିଥିଲା ଦିନେଶଙ୍କ ସହିଦ ହୋଇଯିବାର ଖବର ।