କନକ ବ୍ୟୁରୋ: ବଜ୍ରପାତରୁ ରକ୍ଷା ପାଇବାକୁ ତାଳଗଛ ଲଗାନ୍ତୁ । ଏହି ପଦ୍ଧତି ଆପଣାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ସହିତ ସବୁଠି ସଚେତନ କରାଯାଉଛି । ଗାଁ ଗହଳି ସବୁସ୍ଥାନରେ ତାଳ ଗଛ ଲଗାଇବାକୁ କୁହାଯାଇଛି । ବଜ୍ରପାତ ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଚଳିତ ଆର୍ଥିକ ବର୍ଷଠାରୁ ତାଳ ଗଛ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ସରକାରୀ ଜମି ହେଉ କିମ୍ବା ସାଧାରଣ ଲୋକଙ୍କ ପଟା ଜମିରେ ହେଉ ବିନା ଅନୁମତିରେ ତାଳ ଗଛ କାଟି ପାରିବେ ନାହିଁ ବୋଲି କଟକଣା ହୋଇଛି । ହେଲେ ବି ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ସାମାନ୍ତିଆପଲ୍ଲୀ ବନାଞ୍ଚଳ କାର୍ଯ୍ୟାଳୟରେ ଏହାର ଚିତ୍ର ଅଲଗା ଦେଖିବାକୁ ମିଳିଛି। କେଶରିପଡା ଅଞ୍ଚଳରେ ପ୍ରତ୍ୟେକ ଦିନ ହଜାର ହଜାର ତାଳଗଛ ବେଆଇନ ଭାବେ କାଟି ଆନ୍ଧ୍ରକୁ ଚାଲାଣ କରାଯାଉଛି ।
ଆନ୍ଧ୍ର ଅଞ୍ଚଳରେ ତାଳଗଛର ପଟା ଓ କାଠର ଅଧିକ ଚାହିଦା ରହିଛି । ହେଲେ ଆନ୍ଧ୍ର ଦଲାଲମାନେ ସ୍ଥାନୀୟ ଚାଷୀମାନଙ୍କୁ କିଛି ଟଙ୍କା ପ୍ରଲୋଭନ ଦେଖାଇ ତାଳଗଛକୁ ଶାଗମାଛ ଦରରେ କିଣି ନେଉଛନ୍ତି । ପ୍ରତିଦିନ ହଜାର ହଜାର ତାଳଗଛ ବେଆଇନ ଭାବେ କାଟି ଆନ୍ଧ୍ରକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି । କୌଣସି ସରକାରୀ ଅନୁମତି ନଥାଇ ଦିନ ଦ୍ୱିପ୍ରହରରେ ବେଧଡକ ଭାବରେ ତାଳଗଛ ଚୋରା ଚାଲାଣ ହେଉଥିଲେ ବି କୌଣସି ପଦକ୍ଷେପ ନିଆଯାଉନି ।
କାଠ ମାଫିଆମାନେ ଶହ ଶହ ତାଳଗଛ କାଟି ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ ଦିନକୁ ଦିନ କେଶିରିପଡା ଅଞ୍ଚଳରେ ତାଳଗଛର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।