କନକ ବ୍ୟୁରୋ : ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍‌ରେ କଥା ହେଉଥିବା ବେଳେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ବଜ୍ରପାତ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ମୋବାଇଲ ଫୋନ୍‌ଟି ବିସ୍ଫୋରଣ ହୋଇଯାଇଥିଲା ।

Advertisment

ସୂଚନା ଅନୁଯାୟୀ, ଏହି ଘଟଣା ଝାଡ଼ଖଣ୍ଡର ଲିଟ୍ଟିପଡ଼ା ଥାନା ଅନ୍ତର୍ଗତ ଶିମଳୌଙ୍ଗ ଓପିର ବଡ଼ା ଘଘରୀ ଗାଁରେ ଘଟିଛି । ଦୁଇଜଣ  ଯୁବକ ବିଲକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୋବାଇଲରେ କଥା ହେଉଥିଲେ । ହଠାତ୍ ବର୍ଷା ସହ ଆକାଶରୁ ବଜ୍ରପାତ ହୋଇଥିଲା ଏବଂ ତାଙ୍କ ମୋବାଇଲଟି ବ୍ଲାଷ୍ଟ ହୋଇଯାଇଥିଲା ।

ଏହି ଘଟଣାରେ ଉଭୟ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଲିଟ୍ଟିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ନାମ ଚନ୍ଦନ କୁମାର ମଡ଼େୟା ବୋଲି ଜଣାପଡ଼ିଥିବା ବେଳେ ଆହତ ଯୁବକ ଜଣକ ହେଉଛନ୍ତି ନିର୍ମଳ ମଡ଼େୟା । ନିର୍ମଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି ।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ପୂରା ଅଞ୍ଚଳ ଥରି ଉଠିଥିଲା ଏବଂ ଗାଁରେ ଆତଙ୍କ ଖେଳିଯାଇଥିଲା । ଗାଁ ଲୋକେ କହିଛନ୍ତି ଯେ ମୋବାଇଲରେ କଥା ହେବା ବେଳେ ବଜ୍ରପାତ ହେବାର ଘଟଣା ସେମାନେ ପୂର୍ବରୁ ଶୁଣିଥିଲେ । କିନ୍ତୁ ନିଜ ଗାଁରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଘଟଣା ସମ୍ପର୍କରେ ଲିଟ୍ଟିପଡ଼ା ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।