କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂରରେ ଆତଙ୍କୀସ୍ତାନର ଘରେ ଭିତରେ ପଶି କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏବେ ବିଶ୍ବ ମଞ୍ଚରେ ପାକର ଆତଙ୍କୀ କାର୍ଯ୍ୟକଳାପକୁ  ଉଜାଗର କରିବାକୁ ଭାରତ ସରକାର ବଡ ଆକ୍ସନ ପ୍ଲାନ କରିଛନ୍ତି । ୬ଦଳର ୭ଜଣ ବରିଷ୍ଠ ସାଂସଦଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀ ବିଦେଶ ଯିବେ ଓ ବିଭିନ୍ନ ରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଘଟଣା ବାବଦରେ ଅବଗତ କରାଇବେ । ଏନେଇ ସରକାରଙ୍କ ପକ୍ଷରୁ ପ୍ରତିନିଧିମଣ୍ଡଳୀ ଗଠନ କରାଯାଇଛି । ଯେଉଁଥିରେ କଂଗ୍ରେସରୁ ଶଶୀ ଥରୁର, ବିଜେପିରୁ ରବିଶଙ୍କର ପ୍ରସାଦ,ବୈଜୟନ୍ତ ପଣ୍ଡା, ଜେଡିୟରୁ ସଞ୍ଜୟ କୁମାର ଝା, ଡିଏମକେରୁ କାନିମୋଝୀ, ଏନସିପିରୁ ସୁପ୍ରିୟା ସୁଲେ, ଶିବସେନା ସିନ୍ଦେ ଗୋଷ୍ଠୀରୁ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି ।

Advertisment

ସୂଚନା ଅନୁସାରେ ପ୍ରତିନିଧିମଣ୍ଡଳୀ ଆମେରିକା, ବ୍ରିଟେନ, ୟୁରୋପ, ରୁଷ, ଜାପାନ, ଦକ୍ଷିଣ କୋରିଆ, ଗଲ୍ଫ ଦେଶ ଯିବେ । ମେ ୨୧ରୁ ୨୧ ମଧ୍ୟରେ ଗସ୍ତ ଆରମ୍ଭ କରିବେ । ୭ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଅତି କମରେ ୫ଜଣ ସାଂସଦ ବିଭିନ୍ନ ଦଳରୁ ରହିବେ । ତେବେ ଭାରତ ପକ୍ଷରୁ କିଭଳି ତଥ୍ୟ ଓ ମତ ରଖିବେ ସେନେଇ ଗସ୍ତ ପୂର୍ବରୁ ପ୍ରତିନିଧିମଣ୍ଡଳୀଙ୍କୁ ତାଲିମ ଦେବ ଭାରତୀୟ ବୈଦେଶିକ ମନ୍ତ୍ରାଳୟ  

ବିରୋଧୀଙ୍କୁ ଏକାଠି ନେଇ ଟିମ ଗଠନ କରିବା ଓ ସେମାନଙ୍କୁ ବିଦେଶ ପଠାଇ ଆତଙ୍କବାଦ ବିରୋଧରେ ଭାରତର ପକ୍ଷ ରଖିବା ମୋଦୀ ସରକାରଙ୍କ ଏକ ମାଷ୍ଟରଷ୍ଟ୍ରୋକ କୁହାଯାଇପାରେ । କିନ୍ତୁ ପୂର୍ବରୁ ମଧ୍ୟ ଏଭଳି ଘଟଣାର ନଜୀ ରହିଛି । କଂଗ୍ରେସ ଶାସନ ସମୟରେ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ପିଭି ନରସିଂହ ରାଓ ସେହି ସମୟର ବିରୋଧୀ ଦଳ ନେତା  ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ପ୍ରତିନିଧିମଣ୍ଡଳୀଙ୍କୁ ବିଦେଶ ପଠାଇ ପାକିସ୍ତାନ ଚଳାଇଥିବା ଛାୟା ଯୁଦ୍ଧ ସର୍ମ୍ପକରେ ବିଶ୍ବକୁ ଜଣାଇଥିଲେ ।