କନକ ବ୍ୟୁରୋ : କେତେବେଳେ ଖାଦ୍ୟ ତ କେତେବେଳେ ପାଣିକୁ ନେଇ ହାହାକାର ଡାକୁଥିବା ପାକିସ୍ତାନର ମୁହଁ ଫୁଟାଣି କେବେ ବି ଭାଙ୍ଗିବ ନାହିଁ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଇଜ୍ଜତକୁ ଖୁଚୁରାରେ ବିକ୍ରି କରୁଛି ଆତଙ୍କୀସ୍ତାନ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ନିକଟରେ ଚକିତ କରିଦେଲା ଭଳି ସଦ୍ୟ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡ଼ିଛି ଯେ ପାକିସ୍ତାନର ମନ୍ତ୍ରୀ, ରାଜନେତା,ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ଟ୍ୟାପ୍ ଏବଂ ଡାଟା ଲିକ୍ ହେଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମନ୍ତ୍ରୀମାନଙ୍କ ଫୋନର ଲୋକେସନ୍ ମାତ୍ର ୫୦୦ ଟଙ୍କାରେ ମିଳିଯାଉଛି । ଯାହା ଭାରତୀୟ ମୁଦ୍ରା ହିସାବରେ ମାତ୍ର ୧୫୫ ଟଙ୍କା । ପାକିସ୍ତାନର ଏହି ରିପୋର୍ଟ ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଅନେକ ପାକ୍ ନେତା ଏବଂ ମନ୍ତ୍ରୀ ଏନେଇ ଅଭିଯୋଗ କରିଆସୁଥିଲେ । କିନ୍ତୁ ଏବେ ଜଣାପଡ଼ିଛି ଯେ ୧୦ ହଜାରରୁ ଅଧିକ ପ୍ରଭାବଶାଳୀ ଲୋକଙ୍କ ଫୋନ୍ ରେକର୍ଡ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇବର୍ ହ୍ୟାକର୍ସ ୨୦୦୦ ପାକିସ୍ତାନୀ ଟଙ୍କା ଯାହା ଭାରତରେ ମାତ୍ର ୬୦୦ ଟଙ୍କା ନେଇ ଫୋନ୍ ରେକର୍ଡ କରୁଛନ୍ତି ଏବଂ ଏହି ଡାଟାକୁ ସହଜରେ ସାର୍ବଜନୀନ କରୁଛନ୍ତି । ଅର୍ଥାତ ୬୦୦ ଟଙ୍କାରେ ପାକିସ୍ତାନର ବଡ଼ବଡ଼ିଆଙ୍କ ଇଜ୍ଜତ ନିଲାମ ହେଉଛି । ଏମିତିକି ବିଦେଶ ଗଲେ ମଧ୍ୟ ଏହି ନେତା ଓ ମନ୍ତ୍ରୀଙ୍କ ଫୋନ୍ ସହଜରେ ଟ୍ୟାପ୍ କରାଯାଉଛି । ଆଉ ଏଥିପାଇଁ ଟଙ୍କା ଲାଗିବ ମାତ୍ର ହଜାରେ ।
/filters:format(webp)/kanak/media/media_files/2025/09/10/pakistan-flag-2025-09-10-16-31-50.jpg)
ପାକିସ୍ତାନ ସରକାରଙ୍କ ଅନୁସାରେ ପ୍ରଥମେ ପାକ୍ ନାଗରିକମାନେ ଯେଉଁ ସିମ୍ କାର୍ଡ କିଣୁଛନ୍ତି , ତାହାକୁ ତୁରନ୍ତ ୱେବସାଇଟ୍ ମାଧ୍ୟମରେ ନିଜ ନିୟନ୍ତ୍ରଣକୁ ନିଆଯାଉଛି । ଏହାଦ୍ବାରା ଯାହାପାଖରେ ସିମ୍ କାର୍ଡ ଅଛି ତାହାର ଲୋକେସନ୍ କ୍ରମାଗତ ଭାବରେ ଟ୍ରାସ୍ କରାଯାଉଛି । ଆଉ ଏହି ଇନଫରମେସନକୁ ଖୁଚୁରା ଦାମରେ ବିକୁଛନ୍ତି ସନ୍ଦିଗ୍ଧ । ଏହି ରିପୋର୍ଟ ହିଁ କହୁଛି ଫୁଟାଣି ମାରୁଥିବା ପାକିସ୍ତାନର ଡିଜିଟାଲ୍ ପ୍ରାଇଭେସି କେତେ ଷ୍ଟ୍ରଙ୍ଗ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୩ ରେ ପାକିସ୍ତାନ ଦୂରସଞ୍ଚାର ବିଭାଗ ଏନେଇ ସତର୍କ କରାଇଥିଲେ କିନ୍ତୁ ଏଭଳି ଗମ୍ଭୀର ସମସ୍ୟା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ । ତେବେ ପାକ୍ ଗୃହମନ୍ତ୍ରୀ ମୋହସିନ ନକଭୀ ବର୍ତ୍ତମାନ ଏହି ସମସ୍ୟା ଉପରେ ଦୃଷ୍ଟି ପକାଇ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ । ୧୪ ଜଣିଆ କମିଟି ଗଠନ କରି ସେ ଏହାର ଯାଞ୍ଚ୍ ଆରମ୍ଭ କରିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଲୋକ କହୁଛନ୍ତି ଯେ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ଭାରତକୁ ସମୟ ପଡ଼ିଲେ ନାଲିଆଖି ଦେଖାଉଛି କିନ୍ତୁ ନିଜ ମନ୍ତ୍ରୀଙ୍କ ଇଜ୍ଜତକୁ ଖୁଚୁରା ଦାମରେ ବିକ୍ରି କରୁଛି ।