କନକ ବ୍ୟୁରୋ : କଥାରେ ଅଛି ସତ କେବେ ଲୁଚି ରହେନା । ଅପରେସନ ସିନ୍ଦୂରର ୧୦ ଦିନ ପରେ ଏବଂ ଅସ୍ତ୍ରବିରତିର ୬ ଦିନ ପରେ ପାକ୍ ପ୍ରଧାନମନ୍ତ୍ରୀ ସେହେବାଜ୍ ସତକୁ ସ୍ବୀକାର କରିଛନ୍ତି । ଆଉ କହିଛନ୍ତି, ପାକିସ୍ତାନର ନୁରଖାନ୍ ଏୟାରବେସ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ପୂର୍ବରୁ ସତ ମାନିବାକୁ ନାରାଜ ଥିବା ପାକିସ୍ତାନ ମିଛରେ ନିଜ ଦେଶର ବିଜୟ ହୋଇଛି କହି ଖୁସି ମନାଉଥିବା ବେଳେ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକ୍ ସେନାଙ୍କ ସାହସକୁ ନେଇ ବହି ଲେଖିବେ ବୋଲି କହିଥିଲେ । ସେହେବାଜ୍ ସରିଫ ପ୍ରକାଶ କରିଛନ୍ତି ସ୍ବିମିଂ ପୁଲରେ ପହଁରୁଥିବା ବେଳେ ତାଙ୍କୁ ଭାରତ ମିସାଇଲ ଆକ୍ରମଣ କରିଥିବା ସୂଚନା ଦେଇଥିଲେ ସେନା ମୁଖ୍ୟ । ସରିଫଙ୍କ ବୟାନ, ମେ ୯ ଓ ୧୦ ତାରିଖ ମଧ୍ୟ ରାତ୍ରି ୨ଟା୩୦ରେ ଫୋନ ଆସିଥିଲା । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନିର ଫୋନ୍ କରିଥିଲେ ,ଭାରତ ପାକିସ୍ତାନର ନୁର୍ ଖାନ୍ ଏୟାରବେସ୍ ସମେତ ଅନେକ ସ୍ଥାନରେ ମିସାଇଲ ମାଡ଼ କରିଛି । ଅପରେସନ୍ ସିନ୍ଦୂରର ଅଧୀନରେ ପାକିସ୍ତାନର ରାହିମ୍ ୟାର ଖାନ୍, ସୁକ୍କୁର ଏବଂ ଅନ୍ୟ ଛଅଟି ଏୟାରବେସ୍କୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥାକୁ ବଡ଼ କ୍ଷତି ପହଞ୍ଚିଥିବା ଦାବି କରାଯାଇଛି। ସେହେବାଜ୍ ସରିଫଙ୍କ ଏହି ବୟାନ ପାକିସ୍ତାନରେ ରାଜନୈତିକ ଓ ସାମାଜିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ହ୍ୟାସଟାଗ ‘ମୁନିର ଆଉଟ’ର ଟ୍ରେଣ୍ଡିଂ ଚାଲିଛି । ୟୁଜରମାନେ ଜେନେରାଲ ମୁନିରଙ୍କ ନେତୃତ୍ୱ ଓ ତାଙ୍କ ଭାରତ ନୀତିକୁ ନେଇ ସମାଲୋଚନା କରୁଛନ୍ତି।
ଡେରିରେ ହେଉ ପଛେ ସତ ମାନିଛନ୍ତି ଆତଙ୍କିସ୍ତାନର ପ୍ରଧାନମନ୍ତ୍ରୀ । ଆଉ ଏହି ସତ ପାକିସ୍ତାନର ସାମ୍ବାଦିକଙ୍କୁ ବେଶି ବାଧିଥିବ ଆଉ ଭାବିବାକୁ ବାଧ୍ୟ କରୁଥିବ ଯଦି ଦେଶର ପ୍ରଧାନମନ୍ତ୍ରୀ ସତ ମାନିଲେଣି ଆମେ କାହିଁକି ମିଛର ପାହାଡ ଠିଆ କରିବୁ ।