କନକ ବ୍ୟୁରୋ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପୁଣି ଥରେ ଭାରତ ବିରୋଧରେ ଚଳାଇଛି ନୂଆ ଷଡ଼୍ଯନ୍ତ୍ର । ହମାସକୁ ଭାରତ ବିରୋଧୀ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଜାଲ ବିଛାଉଛି ପାକ୍ । 'ଅପରେସନ୍ ସିନ୍ଦୂର'ରେ ଅଧା ଧ୍ୱଂସ୍ତ ହେବା ପରେ ଭାରତ ବିରୋଧରେ ପାକିସ୍ତାନର ଏହା ଆଉ ଗୋଟିଏ ନୂଆ ଷଡ଼୍ଯନ୍ତ୍ର । ISI ଆତଙ୍କବାଦୀ ସଂଗଠନ , ହମାସ ମାଧ୍ୟମରେ ଭାରତ ବିରୋଧୀ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି ।
ସୂଚନା ଅନୁସାରେ , ପାକିସ୍ତାନ କେବଳ ଭାରତ ବିରୋଧରେ ନୁହେଁ, ଘରୋଇ ସ୍ତରରେ ମଧ୍ୟ ହମାସକୁ ବ୍ୟବହାର କରିବାକୁ ଚାହୁଛି । ISIର ଉଦ୍ଦେଶ୍ୟ ହେଉଛି, ବାଲୁଚିସ୍ତାନ ଏବଂ ଖେବର ପାଖତୁନଖୱାରେ ଜନସାଧାରଣଙ୍କ ବିଦ୍ରୋହକୁ ଦମନ କରିବା ପାଇଁ ହମାସକୁ ବ୍ୟବହାର କରିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ , ମୁସଲିମ ଦେଶମାନଙ୍କର ମିଳିତ ଶାନ୍ତି ସେନା ଅଧୀନରେ ପାକିସ୍ତାନ ଗାଜାକୁ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛି । ଏହି ପଦକ୍ଷେପ ପାକିସ୍ତାନର ଦ୍ୱୈତ ନୀତିକୁ ପଦାରେ ପକାଉଛି, କାରଣ ଗୋଟିଏ ପଟେ ଏହା ଗାଜାରେ ଶାନ୍ତି ସୈନିକ ପଠାଇବା କଥା କହୁଛି, ଅନ୍ୟପଟେ ହମାସକୁ ବ୍ୟବହାର କରିବାକୁ ଚାହୁଛି । ନିକଟରେ, ପାକିସ୍ତାନରେ କାଶ୍ମୀର ଏକତା ଦିବସ ପାଳନ ସମୟରେ, ହମାସ ନେତାମାନଙ୍କୁ ଲସ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ନେତାମାନଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଥିଲା । ଗତ କିଛି ମାସ ଧରି ହମାସର ଲୋକମାନେ ପାକିସ୍ତାନରେ ରହି ଲସ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଶିବିରରେ ତାଲିମ ନେଉଛନ୍ତି । ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା , ସେହିପରି ପାକିସ୍ତାନୀ ଆତଙ୍କବାଦୀମାନେ ମଧ୍ୟ ସେହି ପଦ୍ଧତି ଶିଖୁଛନ୍ତି ।
ସୂତ୍ରରୁ ଏପରି ଦାବି କରାଯାଉଛି ଯେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ହମାସରୁ ପ୍ରେରଣା ନେଇଥିଲେ ଆତଙ୍କବାଦୀ । ଯଦିଓ ହମାସ କେବେବି ଖୋଲାଖୋଲି ଭାବେ ଭାରତ ବିରୋଧରେ କିଛି କହି ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ତଥାପି ଭାରତ ସପକ୍ଷରେ କେବେ ଖୋଲାଖୋଲି ଠିଆ ହୋଇନାହିଁ । ପାକିସ୍ତାନ ଏବଂ ତାର ଆତଙ୍କବାଦୀ ସଂଗଠନ ସପକ୍ଷରେ ହମାସ ସର୍ବଦା ଠିଆ ହୋଇଥିବା ଦେଖାଯାଏ । ପାକିସ୍ତାନ ମଧ୍ୟ କାଶ୍ମୀରକୁ ଗାଜା ସହିତ ତୁଳନା କରିବାକୁ ଚେଷ୍ଟା କରେ, କିନ୍ତୁ ଉଭୟ ସ୍ଥାନର ପରିସ୍ଥିତିରେ ଆକାଶ ପାତାଳର ପ୍ରଭେଦ ରହିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁଭଳି ଭାବେ କାଶ୍ମୀର ଲୋକେ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଖୋଲାଖୋଲି ଠିଆ ହେଲେ, ତାହା ପାକିସ୍ତାନର ନିଦ ହଜାଇ ଦେଇଛି । ଏହି କାରଣରୁ ବର୍ତ୍ତମାନ ଏହା ଜମ୍ମୁ କାଶ୍ମୀରରେ ହମାସକୁ ବ୍ୟବହାର କରିବାକୁ ଚାହୁଛି । ବାଲୁଚିସ୍ତାନ ଏବଂ ଖେବର ପାଖତୁନଖୱା ଅଞ୍ଚଳରେ ପାକିସ୍ତାନ ସେନା ନିରନ୍ତର ପରାସ୍ତ ହେଉଛି, ତେଣୁ ହମାସର ସାହାଯ୍ୟରେ ନିଜର ଯୁଦ୍ଧ ଲଢିବାକୁ ଚେଷ୍ଟା କରୁଛି ।