କନକ ବ୍ୟୁରୋ: ଭିସା ବାତିଲ ପରେ ପ୍ରାୟ ୮ଶହ ପାକିସ୍ତାନୀ ଭାରତ ଛାଡି ପାକିସ୍ତାନ ଫେରିଛନ୍ତି । କିନ୍ତୁ ଯେଉଁମାନେ ଦୀର୍ଘମିଆଦି ଭିସାରେ ରହୁଛନ୍ତି ଓ ଦେଶ ଛାଡି ନାହାନ୍ତି, ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ଭାରତ ଛାଡି ଯିବା ପାଇଁ ସମୟ ସୀମାକୁ ବଢ଼ାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ଭିସା ବାତିଲ ହେବା ପରେ ଶହ ଶହ ପାକିସ୍ତାନୀ ଅଟ୍ଟାରୀ ସୀମା ଦେଇ ଭାରତ ଛାଡି ପାକିସ୍ତାନ ଫେରିଛନ୍ତି । ୧୪ଶହରୁ ଅଧିକ ଭାରତୀୟ ପାକିସ୍ତାନ ଛାଡି ନିଜ ଦେଶକୁ ଫେରିଛନ୍ତି । କିନ୍ତୁ ଏବେ ବି ଭାରତରେ ବହୁ ପାକିସ୍ତାନୀ ଭାରତ ଛାଡି ଯାଇ ନାହାନ୍ତି । ସେମାନଙ୍କ କଣ୍ଟ ସରିଥିଲେ ବି ଭାରତ ଛାଡ଼ି ଯିବେ ନାହିଁ ବୋଲି କହୁଛନ୍ତି । ଆଉ ମହଲତ ସରିବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ଗୃହ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶନାମା
- ବଢ଼ିଲା ଅଟ୍ଟାରୀ ସୀମା ବନ୍ଦର ଅବଧି
- ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ
- ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଲାଗୁ ହେବ ନିର୍ଦ୍ଦେଶ
ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ରାଜ୍ୟ ସରକାର, ଗୃହ ବିଭାଗ ଓ ପୋଲିସ ଡିଜି. କଡା କଡି ଭାବେ ପାଳନ କରୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବଲାଙ୍ଗୀରର ସାରଦା କୁକ୍ରେଜା ହୁଅନ୍ତୁ, ବା ସୋରର ରଜିଆ ସୁଲତାନା କିମ୍ବା କଟକରେ ରହୁଥିବା ୫ ପାକିସ୍ତାନୀ ମହିଳା। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇ ସେମାନଙ୍କ ଭିତରେ ନୂଆ ଆଶା ସଂଚାର କରିଛି। ପଭାରତ ସରକାର ପାକିସ୍ତାନୀଙ୍କ ଭିସା ବାତିଲ କରିବା ପରେ ପରିବାରକୁ ଅଚାନକ ଛାଡି ଯିବାର ଯେଉଁ ଭୟ ସୃଷ୍ଟି ହୋଇଥିଲେ ସେଥିରୁ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସେମାନଙ୍କ ପରିବାର ସ୍ବାଗତ କରିଛନ୍ତି ।
ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନୀଙ୍କୁ ଦେଶରୁ ତଡିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ସମସ୍ତ ପାକିସ୍ତାନୀଙ୍କ ଭିସା ବାତିଲ କରିବା ସହ ତୁରନ୍ତ ଚିହ୍ନଟ କରି ବିଦା କରିବାକୁ ସବୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ ।