କନକ ବ୍ୟୁରୋ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଡ଼ା ପଦକ୍ଷେପ ନେଇଛି । ଏଥିପାଇଁ ପାକିସ୍ତାନ ଭୟରେ ଥରହର ହେଉଛି ଏବଂ ନିକଟରେ ରୁଷ ଏବଂ ତୁର୍କୀ ସମେତ ଅନେକ ଦେଶ ସହିତ ଯୋଗାଯୋଗ କରୁଛି । ଭାରତର କୂଟନୈତିକ ଆକ୍ସନ ପରେ ବିଳିବିଳାଉଛି ,ଛାନିଆରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରିବା ସହ ଗୁଳିମାଡ଼ କରୁଛି ପାକିସ୍ତାନ । ଭାରତ ମଧ୍ୟ ପାକିସ୍ତାନ ଗୁଳିର ମୁହଁତୋଡ଼ ଜବାବ ଦେଉଛି ।
ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ୍ କରିବାକୁ ପ୍ରସ୍ତୁତ ନାହାନ୍ତି ଭାରତ ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ଖାଲି ସେତିକି ନୁହେଁ INS ବିକ୍ରାନ୍ତ ଆରବ ସାଗରରେ ଡେରା ପକାଇଛି । INS ବିକ୍ରାନ୍ତ ଏମିତି ଏକ ଏୟାରକ୍ରାଫ୍ଟ ଯାହାକି ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । INS ବିକ୍ରାନ୍ତ ହେଉଛି ଭାରତର ଏପରି ଏକ ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ ଯାହାକି ଭାରତୀୟ ନୌସେନାର ଶକ୍ତି ଏବଂ କ୍ଷମତା ବୃଦ୍ଧି କରେ ବଢ଼ାଏ । ଏହା ଭାରତ ପାଇଁ ବହୁତ ବଡ଼ ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ମୋହନ ଭଣ୍ଡାରୀ ପାକିସ୍ତାନ ସହିତ ଯୁଦ୍ଧ ପ୍ରସଙ୍ଗରେ ସୂଚନା ଦେଇ ଏଭଳି କହିଛନ୍ତି ।
ସେ କହିଛନ୍ତି,ପାକିସ୍ତାନର ଅବସ୍ଥା ବହୁତ ଖରାପ । ସେମାନଙ୍କ ମଧ୍ୟରେ ଏକତା ନାହିଁ ଏପରିକି ତାଙ୍କ ସେନା ମଧ୍ୟରେ ଗୋଷ୍ଠୀ ବିବାଦ ରହିଛି । ଯଦି ପାକିସ୍ତାନ ଯୁଦ୍ଧ ଆରମ୍ଭ କରେ ତେବେ ୭ରୁ ୧୦ ଦିନ ମଧ୍ୟରେ ସେ ଶେଷ ହୋଇଯିବ । ପାକିସ୍ତାନ ଅନେକ ସମସ୍ୟାର ଦେଇ ଗତି କରୁଛି । ଆଫଗାନିସ୍ତାନ ସହିତ ମଧ୍ୟ ତାହାର ବହୁତ ଦିନରୁ ସମସ୍ୟା ଲାଗି ରହିଛି । ତେବେ ସେ ମଧ୍ୟ ଭାରତ ସହିତ ସିଧାସଳଖ ଯୁଦ୍ଧ କରି ନପାରେ ।
ସବୁଠୁ ବଡ଼ କଥା ହେଉଛି ପାକିସ୍ତାନ ପାଖରେ ଯୁଦ୍ଧ ପାଇଁ ତେଲ ନାହିଁ । ସେ ଯୁଦ୍ଧ ପାଇଁ ରଣହୁଙ୍କାର ଦେବା ଭୁଲ୍ କାରଣ ତା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ତେଲ ଏବଂ ଲୁବ୍ରିକାଣ୍ଟ୍ । ପାକିସ୍ତାନ ପାଖରେ ଟ୍ୟାଙ୍କ୍ ଚଲାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ତେଲ ନାହିଁ । ଯଦି ଭାରତୀୟ ସେନା ଆରବ ସାଗର ପଥ ଅବରୋଧ କରେ ତେବେ ପାକିସ୍ତାନର ସମସ୍ୟା ଆହୁରି ବଢ଼ିଯିବ । ଏହାକୁ ତେଲ ମିଳିବା ବନ୍ଦ ହୋଇଯିବ । ଏପରି ପରିସ୍ଥିତିରେ INS ବିକ୍ରାନ୍ତ ଏକ ବଡ଼ ଭୂମିକା ଗ୍ରହଣ କରିବ ।
ଅନ୍ୟପଟେ ଭାରତର ବିମାନ ଚଳାଚଳ କ୍ଷେତ୍ରପାଇଁ ପ୍ରତିବନ୍ଧକ ସୃଷ୍ଟି କରି କ୍ଷତି ସହୁଛି ପାକିସ୍ତାନ । ଭାରତୀୟ ବିମାନଗୁଡ଼ିକୁ ନିଜ ଆକାଶ ମାର୍ଗରେ ଉଡ଼ାଣ କରିବାକୁ ନ ଦେଇ ଆର୍ଥିକ ଦୃଷ୍ଟିରୁ ଭାରତକୁ କ୍ଷତି ପହଞ୍ଚାଇବାକୁ ଚାହିଁଥିଲା ପାକିସ୍ତାନ । ବର୍ତ୍ତମାନ ଭାରତୀୟ ବିମାନ ଗୁଡ଼ିକ ପାକିସ୍ତାନ ଆକାଶ ମାର୍ଗ ବାଦ ଦେଇ ଅନ୍ୟ ରୁଟ୍ରେ ଉଡ଼ାଣ କରୁଛି । ହେଲେ କ୍ଷତି ସହୁଛି ପାକିସ୍ତାନ,ବେସାମରିକ ବିମାନ ଚଳାଚଳ କ୍ଷେତ୍ରରୁ ଯେଉଁ ରାଜସ୍ୱ ଆୟ କରିଥାନ୍ତା ପାକିସ୍ତାନ ତାହା ହରାଇଛି । ଭାରତୀୟ ବିମାନଗୁଡ଼ିକ ନିଜ ଆକାଶ ମାର୍ଗ ବନ୍ଦ କରି ପାକିସ୍ତାନ ଦୈନିକ କୋଟି କୋଟି ଟଙ୍କାର କ୍ଷତିର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି ।