କନକ ବ୍ୟୁରୋ: ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ରେ ପାକିସ୍ତାନ କ୍ରିକେଟ୍ ଦଳର ଶୋଚନୀୟ ପ୍ରଦର୍ଶନର ପ୍ରଭାବ ଏବେ ଖେଳାଳିଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଦଳର ପ୍ରତ୍ୟେକ ଖେଳାଳିଙ୍କ ଉପରେ ମୋଟା ଅଙ୍କର ଆର୍ଥିକ ଜରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛି । ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରୁ ବିଦା ହେବା ଏବଂ ବିଶେଷ କରି ଭାରତ ବିପକ୍ଷରେ ମିଳିଥିବା ଲଜ୍ଜାଜନକ ପରାଜୟ ପରେ ବୋର୍ଡ ଏହି ଚରମ ପଦକ୍ଷେପ ଗ୍ରହଣ କରିଛି ।
ଖବର ଅନୁସାରେ, ବିଶ୍ୱକପ୍ ଖେଳିଥିବା ପାକିସ୍ତାନୀ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ଜରିମାନା ଲଗାଯାଇଛି। ଏହି ବିପୁଳ ପରିମାଣର ଅର୍ଥ ଖେଳାଳିଙ୍କ ମାସିକ ଦରମା କିମ୍ବା ମ୍ୟାଚ୍ ଫି’ରୁ କଟାଯିବ । ଅର୍ଥାତ୍ ପିସିବି ସିଧାସଳଖ ଖେଳାଳିଙ୍କ ଆୟରୁ ଏହି କ୍ଷତି ଭରଣା କରିବ । କ୍ରମାଗତ ଚତୁର୍ଥ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିବାରେ ବିଫଳ ହେବା ପରେ, ବୋର୍ଡ ସ୍ପଷ୍ଟ କରିଦେଇଛି ଯେ ଦାୟିତ୍ୱହୀନ ଖେଳ ପାଇଁ ଏବେ ଆର୍ଥିକ ଦଣ୍ଡ ସୁନିଶ୍ଚିତ।
ଆହୁରି ପଢ଼ନ୍ତୁ... ସେମିଫାଇନାଲ୍ ପୂର୍ବରୁ ବଡ଼ ଚିନ୍ତା, ସୁଧାରିବାକୁ ହେବ ୫ଟି ଭୁଲ୍
ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ପାଇଁ ଆଦୌ ଭଲ ରହିନଥିଲା । ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ବିଶ୍ୱକପ୍ରେ ପାକିସ୍ତାନ ଅନୁକୂଳ ପରିବେଶର ଫାଇଦା ଉଠାଇ ପାରିନଥିଲା । ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡକୁ କଷ୍ଟେମଷ୍ଟେ ୩ ୱିକେଟରେ ହରାଇବା ପରେ ଦଳ ଆମେରିକାକୁ ୩୨ ରନରେ ପରାସ୍ତ କରିଥିଲା । କିନ୍ତୁ ଭାରତ ବିପକ୍ଷ ହାଇ-ଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନର ସବୁ ଅହଂକାର ଚୁରମାର ହୋଇଯାଇଥିଲା । ଭାରତଠାରୁ ୬୧ ରନର ବଡ଼ ବ୍ୟବଧାନରେ ହାରିବା ଦଳର ମନୋବଳ ଭାଙ୍ଗି ଦେଇଥିଲା । ସୁପର-୮ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା ଏବଂ ପରେ ଇଂଲଣ୍ଡଠାରୁ ପରାଜୟ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଇଥିଲା।
ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପିସିବି ମୁଖ୍ୟ ମୋହସିନ ନାକଭି ଟିମ୍ ଇଣ୍ଡିଆ ସହ ମ୍ୟାଚ୍କୁ ନେଇ ଅନେକ ବୟାନବାଜି କରିଥିଲେ । ଭାରତ ସହ ମ୍ୟାଚ୍କୁ ବୟକଟ୍ କରିବା ନେଇ ଧମକ ଦେବା ଏବଂ ପରେ ପଡ଼ିଆରେ ନତମସ୍ତକ ହେବା ପାକିସ୍ତାନ ପାଇଁ ବଡ଼ ଅପମାନ ସାବ୍ୟସ୍ତ ହୋଇଛି । ଭାରତଠାରୁ ହାରିବା ପରେ ପାକିସ୍ତାନୀ ଖେଳାଳି ନିଜ ଦେଶରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ।
ପାକିସ୍ତାନ କ୍ରିକେଟ୍ ଇତିହାସରେ ଏଭଳି ଜୋରିମାନା ଏକ ବଡ଼ ଚେତାବନୀ । ପିସିବିର ଏହି କଠୋର ଆଭିମୁଖ୍ୟ ଖେଳାଳିଙ୍କୁ ସନ୍ଦେଶ ଦେଇଛି ଯେ, କେବଳ ମଇଦାନରେ ଉପସ୍ଥିତ ରହିବା ଯଥେଷ୍ଟ ନୁହେଁ, ବରଂ ଦେଶ ପାଇଁ ପ୍ରଦର୍ଶନ କରିବା ଅପରିହାର୍ଯ୍ୟ । ନଚେତ୍ ଏହାର ପରିଣାମ ସେମାନଙ୍କୁ ନିଜ ପକେଟରୁ ହିଁ ଭରିବାକୁ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/pak-player-2026-03-03-15-24-51.jpg)