କନକ ବ୍ୟୁରୋ : ପାକିସ୍ତାନ ରାଜଧାନୀ ଇସଲାମାବାଦରୁ ଆସିଛି ଏକ ବଡ଼ ବୟାନ । ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଇସଲାମାବାଦର ଲାଲ୍ ମସଜିଦ୍ର ପ୍ରମୁଖ ମୌଲାନା ଅବଦୁଲ୍ ଅଜିଜ୍ ଘାଜୀ ନିକଟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି, ଯେଉଁଥିରେ ସେ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ ନକରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ମୌଲାନା ଅଜିଜ୍ କହିଛନ୍ତି , ଏହି ଯୁଦ୍ଧ ଇସଲାମ ପାଇଁ ନୁହେଁ, ବରଂ ଜାତୀୟତାବାଦ ପାଇଁ । ଅଜିଜ୍ ଅଭିଯୋଗ କରିଛନ୍ତି, ପାକିସ୍ତାନରେ ମୁସଲମାନମାନେ ଭାରତ ଅପେକ୍ଷା ଅଧିକ ଅତ୍ୟାଚାର ସହୁଛନ୍ତି । ପାକିସ୍ତାନ ସେନା ଲାଲ୍ ମସଜିଦ ଏବଂ ୱାଜିରିସ୍ତାନରେ ବୋମା ମାଡ଼ କରିଛି, ଯାହା ଭାରତ କେବେ କରିନାହିଁ ।
ଏହା ସହ ସେ ବଲୁଚ, ପଶ୍ତୁନ, ପିଟିଆଇ କର୍ମୀ, ମୌଲବୀ ଏବଂ ସାମ୍ବାଦିକମାନଙ୍କୁ ପାକିସ୍ତାନରେ ବଳପୂର୍ବକ ଅପହରଣ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହି ବୟାନ ପାକିସ୍ତାନରେ ତୀବ୍ର ବିବାଦ ସୃଷ୍ଟି କରିଛି । ଲାଲ୍ ମସଜିଦ ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହିଛି, ଖାସ୍ କରି ୨୦୦୭ ମସିହାରେ ପାକିସ୍ତାନ ସେନାର ଅପରେସନ୍ ପରେ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଭଳି ଆତଙ୍କବାଦୀ ସଂଗଠନର ଉତ୍ଥାନ ହୋଇଥିଲା । ମୌଲାନା ଅଜିଜଙ୍କ ଏହି ବୟାନ ପାକିସ୍ତାନ ସରକାର ଏବଂ ସେନା ଉପରେ ଚାପ ସୃଷ୍ଟି କରିଛି ।