କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ପାକିସ୍ତାନୀ ନେତା । ପାକ୍ ସରକାର ଓ ସେନାର ଅତ୍ୟାଚାରରେ ଅତିଷ୍ଠ ହେବା ପରେ ସମାଧାନ ପାଇଁ ମୋଦୀଙ୍କ ସହାୟତା ଲୋଡିଛନ୍ତି । ନିର୍ବାସିତ ପାକିସ୍ତାନୀ ନେତା ଏବଂ ମୁତାହିଦା କୌମି ମୁଭମେଣ୍ଟର ପ୍ରତିଷ୍ଠାତା ଅଲତାଫ ହୁସେନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ସେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଅଲତାଫ ହୁସେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ ବିଭାଜନ ପରେ ଭାରତରୁ ପାକିସ୍ତାନ ଆସିଥିବା ଉର୍ଦ୍ଦୁ ଭାଷାଭାଷି ଶରଣାର୍ଥୀ ଅର୍ଥାତ୍ ମୁହାଜିରଙ୍କ ନିର୍ଯାତନା ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାନ୍ତୁ ।
ଅଲତାଫ ହୁସେନ ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ଏଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ଅଲତାଫ କହିଛନ୍ତି ଯେ ମୁହାଜିରମାନେ ବହୁ ବର୍ଷ ଧରି ନିର୍ଯାତିତ ହୋଇଆସୁଛନ୍ତି । ସେମାନେ ମଧ୍ୟ ଭେଦଭାବର ଶିକାର ହୋଇଛନ୍ତି । ଅଲତାଫ ହୁସେନ କହିଛନ୍ତି ଯେ ପାକିସ୍ତାନ କେବେ ବି ଦେଶରେ ମୁହାଜିରମାନଙ୍କୁ ବୈଧ ନାଗରିକ ଭାବରେ ଗ୍ରହଣ କରିନାହିଁ । ସେ ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନରେ ୨୫୦୦୦ରୁ ଅଧିକ ମୁହାଜିର ପ୍ରାଣ ହରାଇଛନ୍ତି ।