କନକ ବ୍ୟୁରୋ : ପହଲଗ୍ରାମ ଆକ୍ରମଣ ପରେ ବଢି ଚାଲିଛି ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା । ଯୁଦ୍ଧ ଭୟରେ ପାକିସ୍ତାନର ନିଦ ହଜିଗଲାଣି । କେତେବେଳେ ଭାରତ ଆକ୍ରମଣ କରିବ ତାହା ପାକର ଚିନ୍ତା ବଢାଇ ଦେଇଛି । ଭାରତ ପାକିସ୍ତାନ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିଦେଇଛି । ଆଉ ସେପଟେ ଯୁଦ୍ଧ ଭୟରେ ପାକିସ୍ତାନ ପରମାଣୁ ବୋମାର ଧମକ ବି ଦେଉଛି । ତେବେ ଏହାରି ଭିତରେ ପାକିସ୍ତାନର ଜଣେ ରାଜନେତାଙ୍କ ବୟାନ ପାକିସ୍ତାନ ସେନାର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

Advertisment

ପାକିସ୍ତାନ ନ୍ୟାସନାଲ ଆସେମ୍ୱଲିର ସଦସ୍ୟ ଶେର ଅଫଜଲ ଖାନଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ କି, ଯଦି ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ହୁଏ ତେବେ ସେ ବନ୍ଧୁକ ଧରି ବର୍ଡରକୁ ଯିବେ କି? ଏହାର ଉତ୍ତରରେ ସେ କହିଥିଲେ, ଯଦି ଯୁଦ୍ଧ ହୁଏ ତେବେ ମୁଁ ଇଂଲଣ୍ଡ ଚାଲିଯିବି । ଆଉ ତାଙ୍କର ଏହି ଉତ୍ତର ଏବେ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ସାମ୍ବାଦିକ ପୁଣି ପ୍ରଶ୍ନ କରିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଛକୁ ହଟିବା ଦରକାର କି ? ଏହାର ଉତ୍ତରରେ ସେ କହିଥିଲେ ମୋଦୀ କଣ ମୋ ମାଉସୀ ପୁଅ ଯେ ମୁଁ କହିଲେ ସେ ପଛକୁ ହଟିଯିବେ । 

ଶେର ଅଫଜଲ ଖାନ ମାରବତ ପାକିସ୍ତାନର ଜଣେ ବରିଷ୍ଠ ରାଜନେତା । ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତହରିକ-ଏ ଇନସାଫ ଦଳ ସହ ଜଡ଼ିତ ଅଛନ୍ତି । ତେବେ ତାଙ୍କର ଏହି ବୟାନ ପରେ ଏବେ ପାକିସ୍ତାନରେ ଚର୍ଚ୍ଚା ସୃଷ୍ଟି ହୋଇଛି । କୁହାଯାଉଛି ପାକିସ୍ତାନର ରାଜନେତା ମାନେ ନିଜ ସେନା ଉପରେ ଭରସା କରିପାରୁ ନାହାନ୍ତି । ସେପଟେ ଭାରତ ପାକିସ୍ତାନ ତିକ୍ତତା ଭିତରେ ପାକିସ୍ତାନ ରାଜନେତାମାନେ ବାରମ୍ୱାର ପ୍ରତିକ୍ରିୟା ରଖୁଛନ୍ତି । ସିନ୍ଧୁ ନଦୀ ଜଳ ଉପରେ ଜୋର୍‌ ଦେଇ ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି, ଏହି ନଦୀର ଜଳକୁ ରୋକିବାକୁ କିମ୍ବା ଅନ୍ୟ କେଉଁଆଡ଼େ ସ୍ଥାନାନ୍ତରଣ କରିବାକୁ ଚେଷ୍ଟା କରାଗଲେ ପାକିସ୍ତାନ ଏହାକୁ ଆକ୍ଟ୍‌ ଅଫ୍‌ ୱାର୍‌ ବୋଲି ମାନିବ । ଭାରତକୁ ବଳପୂର୍ବକ ଜବାବ ଦେବ ପାକିସ୍ତାନ । ଏହାପୂର୍ବରୁ ପାକିସ୍ତାନ ମନ୍ତ୍ରୀ ହାନିଫ ଆବାସୀ ମଧ୍ୟ ଭାରତ ଉପରେ ପରମାଣୁ ବୋମା ପକାଇଦେବାକୁ ଧମକ ଦେଇଥିଲେ । ସେପଟେ ପାକିସ୍ତାନ ବିରୋଧରେ ଲଗାତାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ଭାରତ । ଭାରତ ଆକ୍ରମଣ କଲେ ପରିଣାମ କଣ ହେବ ତାହା ଭଲ ଭାବେ ଜାଣିଛି ପାକିସ୍ତାନ । ଏଣୁ ଭୟରେ ଭାରତକୁ ଆକ୍ରମଣ ଭୟ ଦେଖାଉଛି ।

ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ କିଛି ଆତଙ୍କବାଦୀ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ହିନ୍ଦୁ ବୋଲି ପଚାରି ପଚାରି ଗୁଳି ମାରିଥିଲେ ଆତଙ୍କୀ । ଏହି ଘଟଣା ପରେ ଆତଙ୍କୀ ସ୍ଥାନ ଉପରେ କଠୋର ହୋଇଛନ୍ତି ଭାରତ ସରକାର । ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆତଙ୍କବାଦକୁ ପ୍ରଶୟ ଦେଉଥିବା ମାଟିକୁ ଧ୍ୱଂସ କରିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଆଉ ଏହାପରେ ପାକିସ୍ତାନ ଉପରେ ଆରମ୍ଭ ହୋଇଥିଲା କୂଟ ନୈତିକ ଚାପ । ଆଉ ସେହି ଚାପରେ ଏବେ ଚେପା ହୋଇଯାଇଛି ପାକିସ୍ତାନ ।