କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ସୀମା ସୁରକ୍ଷା ବଳ (ବିଏସଏଫ୍) କର୍ମଚାରୀମାନେ ସୋମବାର ବିଳମ୍ବିତ ରାତିରେ ଅମୃତସରର ପାକିସ୍ତାନ ସୀମାର ନିକଟରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ବିଏସଏଫର ଜଣେ କମାଣ୍ଡାଣ୍ଟ ରାକେଶ ନେଗିଙ୍କ କହିବା ଅମୁଯାୟୀ, ସୈନିକମାନେ ସୀମାନ୍ତ ଆଉଟପୋଷ୍ଟ ରାଜାତାଲ ନିକଟରେ ପାଟ୍ରୋଲିଂ କରୁଥିଲେ। ସେମାନେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କଣ୍ଟା ତାର ଘେରାଯାଇଥିବା ସୀମା ପାଖରେ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଥିଲେ ।
ପଚରାଉଚରା ସମୟରେ, ଅଭିଯୁକ୍ତ ନିଜକୁ ପାକିସ୍ତାନର ଶେଖପୁରା ଜିଲ୍ଲାର ମୁରିଦକେର ବାସିନ୍ଦା ମହମ୍ମଦ ଅସଫାକ ବୋଲି ପରିଚୟ ଦେଇଥିଲା । ତଲାସୀ ସମୟରେ ତାଙ୍କଠାରୁ ୮ହଜାର ପାକିସ୍ତାନୀ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଓ ତିନୋଟି ସିମ୍ କାର୍ଡ ଜବତ କରାଯାଇଥିଲା। ପରେ ତାଙ୍କୁ ପଞ୍ଜାବର ଘରିଣ୍ଡା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେ କେଉଁ ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଓ ତାଙ୍କୁ କୌଣସି ସ୍ଥାନୀୟ ସହାୟତା ମିଳିଥିଲା କି ନାହିଁ ତାହା ତଦନ୍ତ କରାଯାଉଛି ।
ଅଧିକ ପଢ଼ନ୍ତୁ---ଇରାନ ଉପରେ ଆକ୍ରମଣ ପାଇଁ ସାମରିକ ଘାଟି ଦେବାକୁ ମନା କଲା ନାଟୋ ଦେଶ : ୧୫ ଲଢୁଆ ବିମାନକୁ ଫେରାଇ ଆଣିଲେ ଟ୍ରମ୍ପ
ତେବେ ଦୁଇଦିନ ମଧ୍ୟରେ ଏହା ଦ୍ଵିତୀୟ ଗିରଫ, ପୂର୍ବରୁ, ତରନତାରନର ଖେମକରଣ ସେକ୍ଟରରେ ବିଏସଏଫ ଓ ଏନସିବିର ମିଳିତ ଅପରେସନରେ, ଜଣେ ପାକିସ୍ତାନୀ ନାଗରିକଙ୍କୁ ୧୦ କିଲୋ ଡ୍ରଗ୍ସ ସହିତ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତି କସୁର ଜିଲ୍ଲାର ଚଟିଆ ଗାଁର ବାସିନ୍ଦା ଅବୁ ବକର ଭାବରେ ଚିହ୍ନଟ କରାଯାଇଛି। ତାଙ୍କଠାରୁ ଏକ ମୋବାଇଲ୍ ଫୋନ୍ ଓ ପାକିସ୍ତାନୀ ମୁଦ୍ରା ମଧ୍ୟ ଜବତ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇଏସଆଇ ଓ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନ ଲିବରେସନ୍ ଫୋର୍ସ (କେଏଲଏଫ) ପାଇଁ କାମ କରୁଥିଲେ। ଏହି ଘଟଣା ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ସୀମାରେ ନଜର କଡ଼ାକଡ଼ି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/india-2026-03-04-13-34-36.jpg)