କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଭାରତ । କୌଣସି ପରିସ୍ଥିତିରେ ଯେପରି ଜଣିଏ ବି ପାକିସ୍ତାନୀ ଭାରତରେ ପ୍ରବେଶ ନ କରିପାରିବେ ସେଥିପାଇଁ ଭିସା ରଦ୍ଦ କରାଯାଇଛି । ଏଭଳି ସ୍ଥିତି ଭିତରେ ଏବେ ପାରାଦୀପ ସମୁଦ୍ରରେ ପହଞ୍ଚିଛନ୍ତି ପାକିସ୍ତାନୀ । ପାରାଦୀପ ବନ୍ଦରରେ ଲାଗିଥିବା ହଂକଂ ତୈଳବାହୀ ଜାହଜ ଏକତଟି ସିରେନ-୨ରେ ଆସିଛନ୍ତି ପାକିସ୍ତାନୀ । ଏହି ଜାହାଜରେ ୨୫ ଜଣ କ୍ରିଉ ମେମ୍ବର ଆସିଛନ୍ତି । ଯେଉଁଥିରେ ୨୧ ଜଣ ପାକିସ୍ତାନୀ ନାଗରିକଙ୍କ ସହ ୨ଜଣ ଭାରତୀୟ ଓ ଥାଇଲାଣ୍ଡ ଓ ଶ୍ରୀଲଙ୍କାର ଜଣେ ଲେଖାଏଁ ନାଗରିକ ରହିଛନ୍ତି ।
ପାରାଦ୍ବୀପ ବନ୍ଦରକୁ ଆସିଥିବା ତୈଳବାହୀ ଜାହାଜରେ ପାକିସ୍ତାନୀ ନାଗରିକ ଥିବା ଜଣାପଡିବା ପରେ ସତର୍କ ହୋଇ ଉଠିଛି ଇମିଗ୍ରେସନ ବିଭାଗ । ଏନେଇ ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଯିବା ପରେ ସୁରକ୍ଷା ଦୃଷ୍ଟିରୁ ସତର୍କ ନଜର ରଖିଛନ୍ତି କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ।
୧୩୫ ଟନ୍ ଅଶୋଧିତ ତୈଳ ନେଇ ଦକ୍ଷିଣ କୋରିଆରୁ ଆସିଛି ଏହି ହଂକଂ ଜାହାଜ । ପାରାଦୀପ ଉପକୂଳଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିଛି ଜାହାଜ। ବୁଧବାର ତୈଳବାହୀ ଜାହାଜରୁ ତୈଳ କଢାଯିବା ନେଇ ଅନୁମତି ମିଳିଛି । ସମ୍ପୂର୍ଣ୍ଣ ତୈଳ କଢାଯିବା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନୀ ନାଗରିକଙ୍କ ଉପରେ ନଜର ରଖିବ ମେରାଇନ ପୁଲିସ । ଏପରିକି ତେଲ ଖାଲି ହେବା ପରେ ପାକିସ୍ତାନୀ କ୍ରିଉ ମେମ୍ବରଙ୍କୁ ନେଇ ଫେରିଯିବାକୁ ଜାହାଜରେ ଥିବା କ୍ୟାପଟେନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପାକିସ୍ତାନ ଉପରେ ଭାରତ କଟକଣା ଲଗାଇବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି । ଏହାସତ୍ତ୍ବେ ମଧ୍ୟ ସମୁଦ୍ରପଥରେ ପାକିସ୍ତାନୀ ନାଗରିକ କିଭଳି ଅନ୍ୟ ଦେଶର ଜାହାଜରେ ଭାରତ ସୀମାକୁ ପ୍ରବେଶ କଲେ । ଜଳପଥରେ ସୁରକ୍ଷାକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସମସ୍ତ ପ୍ରକାର ଦ୍ବିପାକ୍ଷିକ କାରବାର ବନ୍ଦ କରିଛି ଭାରତ । ଆତଙ୍କବାଦ ବନ୍ଦ ନହେବା ଯାଏଁ ଭାରତ ମାଟିରେ ପଡିବନି ପାକିସ୍ତାନୀଙ୍କ ପାଦ । ଏଭଳି ଚରମ ନିଷ୍ପତ୍ତି ନିଆଯିବା ପରେ ପାକିସ୍ତାନ ନାଗରିକ ପାରାଦୀପ ସମୁଦ୍ରରେ ପହଞ୍ଚିବା ହଇଚଇ ସୃଷ୍ଟି କରିଛି।