କନକ ବ୍ୟୁରୋ: ଗତ ଶନିବାର ସଂସଦରେ ଚଳିତ ବିତ୍ତୀୟ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ପ୍ରତିରକ୍ଷା କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଏଥର ଏକ ବଡ଼ ବଜେଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୮୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯାହା ଗତବର୍ଷ ୬.୨୧ ଲକ୍ଷ କୋଟି ତୁଳନାରେ ଢେର ଅଧିକ ।
ବଜେଟ ଦେଖି ପାକିସ୍ତାନ ଛାନିଆ
ପ୍ରତିରକ୍ଷା ବଜେଟ ଦେଖି ଏବେ ପଡ଼ୋଶୀ ପାକିସ୍ତାନ ମନରେ ଛନକା ପଶିଛି । ପାକିସ୍ତାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଭାରତର ବିଶାଳ ପ୍ରତିରକ୍ଷା ବଜେଟ ଏହାର ସେନାକୁ ଆହୁରି ଶକ୍ତିଶାଳୀ କରିବ । ଯାହା ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରିପାରେ । ପାକିସ୍ତାନର ପୂର୍ବତନ ସେନା ଅଧିକାରୀ ଗୁଲାମ ମୁସ୍ତାଫା ଭାରତର ପ୍ରତିରକ୍ଷା ବଜେଟ ଦେଖି ଭୟ ଜାହିର କରିଛନ୍ତି । କହିଛନ୍ତି ଯେ, ଏଭଳି ବିଶାଳ ବଜେଟ ବିଜେପିର ଅଖଣ୍ଡ ଭାରତ ଯୋଜନାର ଏକ ଅଂଶ । ବିଜେପିର ସ୍ୱପ୍ନ କେବଳ ଭାରତରେ ସୀମିତ ହେଇ ନାହିଁ । ଅଖଣ୍ଡ ଭାରତର ସ୍ୱପ୍ନରେ ପାକିସ୍ତାନର ନାଁ ବି ସାମିଲ ରହିଛି ।
ଭାରତର ବିସ୍ତାରିତ ନୌସେନା ଦେଖିଲା ପାକିସ୍ତାନ
ପାକିସ୍ତାନର ପୂର୍ବତନ ସେନା ଅଧିକାରୀ ଗୁଲାମଙ୍କ ମୁତାବକ ଭାରତ କେବଳ ସ୍ଥଳଭାଗରେ ସୀମିତ ହୋଇ ରହିନାହିଁ । ସମୁଦ୍ର ପାର ଇଣ୍ଡୋନେସିଆ ଓ ମାଲେସିଆ ପର୍ୟ୍ୟନ୍ତ ହକ୍ ଜମାଇବାକୁ ଚେଷ୍ଟା କରୁଛି । ଗୁଲାମ କହିଛନ୍ତି, ଭାରତର ନୌସେନାର ଶକ୍ତି ଦେଖି ନିଅନ୍ତୁ । ବ୍ଲୁ ୱାଟର ନୌସେନା ଭାରତ କିମ୍ବା ଚୀନ ପାଖରେ ରହିଛି । ଭାରତର ନୌସେନା ବିସ୍ତାର ଦେଖିବା ଭୟ ଲାଗିବା ସ୍ୱାଭାବିକ ।
ପାକିସ୍ତାନର ପୂର୍ବତନ ସେନା ଅଧିକାରୀ ଗୁଲାମ ମୁସ୍ତାଫା କହିଛନ୍ତି ଯେ, ଭାରତକୁ ଏତେ ବିଶାଳ ନୌସେନାର କଣ ଆବଶ୍ୟକତା ରହିଛି । ଭାରତକୁ ଅନ୍ୟ ଦେଶ ଉପରେ ଆକ୍ରମଣ କରିବାର ତ ନାହିଁ । ଭାରତୀୟ ମହାସାଗର ଉପରେ କବ୍ଜା ଜମାଇବା ଭାରତର ଉଦ୍ଦେଶ୍ୟ ରହିଛି । ଏହି କ୍ରମରେ ବାୟୁସେନେ ଓ ସ୍ଥଳସେନା ଶକ୍ତି ବୃଦ୍ଧି କରାଉଛି ଭାରତ । ଯାହାଫଳରେ ପାକିସ୍ତାନ ଭଳି ଦେଶ ରାସ୍ତାରେ କଣ୍ଟା ସାଜିବ ନାହିଁ ।