କନକ ବ୍ୟୁରୋ : ଅପରେସନ୍ ସିନ୍ଦୂର ପରେ ନୂଆ ଶିକ୍ଷା ପାଇଛି ପାକିସ୍ତାନ । ଭାରତ ସହ ସିଧାସଳଖ ପଙ୍ଗା ନେବା ପାଇଁ ଆଉ ସାହସ ନାହିଁ । ସେଥିପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ଶତ୍ରୁ ପାକିସ୍ତାନ । ଆମେରିକା ଶକ୍ତିରେ ନିଜକୁ ଶକ୍ତିଶାଳି ଭାବୁଛି । ଭାରତକୁ ଘେରିବା ପାଇଁ ବାଂଲାଦେଶକୁ ମୋହରା ବନାଉଛି । ଭାରତକୁ ପୂର୍ବପଟୁ ଘେରିବା ପାଇଁ ଷଡ୍ଯନ୍ତ୍ର ଆରମ୍ଭ କରିଦେଇଛି ପାକିସ୍ତାନ ।
ପାକ୍ ସେନା ମୁଖ୍ୟ ଫିଲ୍ମ ମାର୍ଶଲ ଅସିମ ମୁନିର ଏହି ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । କୁହାଯାଉଛି ଯେ ଭାରତକୁ ଆଉ କେବଳ କାଶ୍ମୀର ପଟୁ ପାକିସ୍ତାନ ଘେରିବ ନାହିଁ । ଏଣିକି ପୂର୍ବ ପଟୁ ଘେରିବା ଲାଗି ମୁନିର ଚିନ୍ତା କରୁଛନ୍ତି । ବାଂଲାଦେଶର ଭାରତ ବିରୋଧୀ ଆଭିମୁଖ୍ୟ ଜେନେରାଲ ମୁନିରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ବାଂଲାଦେଶରେ ସରକାର ବଦଳିବା ପରେ ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୟୁନୁସ୍ ସରକାର ଲଗାତାର ଭାରତ ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଏହି ସୁଯୋଗରେ ବାଂଲାଦେଶ ପଟୁ ଭାରତ ଉପରେ ଆକ୍ରମଣ କରିବା ନେଇ ଚିନ୍ତା କରୁଛି ପାକିସ୍ତାନ ।
ପହଲଗାମ୍ ଆକ୍ରମଣ ପରେ କଠୋର ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆତଙ୍କବାଦ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯବାନଙ୍କ ଗୁଳିରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଟଳୁଛନ୍ତି । ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମୁସା ବି ନିହତ ହୋଇଛି । ଜମ୍ମୁକଶ୍ମୀରରେ ଭାରତୀୟ ସେନାଙ୍କ ସୁରକ୍ଷାବଳୟକୁ ଭେଦକରିପାରୁନଥିବା ପାକିସ୍ତାନ ଏବେ ଭାରତକୁ ଘେରିବା ପାଇଁ ବିକଳ୍ପ ରାସ୍ତା ଆପଣାଇଛି ।
ପାକ୍ ସେନା ମୁଖପାତ୍ର କହିଛନ୍ତି, ଭାରତ ଜାଣିରଖିବା ଆବଶ୍ୟକଯେ ଆମେ ଯେ କୌଣସି ସ୍ଥାନରୁ ଭାରତ ଉପରେ ଆକ୍ରମଣ କରିପାରିବୁ । ଏହି ବୟାନ ଆସିବା ପରେ କେଉଁଠି ନା କେଉଁଠି ଦୁଇ ପରମାଣୁ ଶକ୍ତି ରାଷ୍ଟ୍ର ମଧ୍ୟରେ ଆଗକୁ ବଡ଼ ସଘର୍ଷ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ଆମେରିକା ବଳରେ ବଳିୟାନ
ବେଳ ଥାଉ ଥାଉ ହେଉ ସାବଧାନ !
ଆମେରିକାର ଅକୁଣ୍ଠ ସମର୍ଥନ ପାକ୍କୁ ନୂଆ ବଳ ଦେଇଛି । ଆମେରିକା ବଳରେ ନିଜକୁ ବାହୁବଳୀ ବୋଲି ଭାବିନେଇଛି । ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନଭୋଜନ ପରେ ମୁନିର ମନେ ମନେ ଶକ୍ତିଶାଳି ହୋଇଉଠିଛନ୍ତି । କିନ୍ତୁ ପାକିସ୍ତାନ ଏହା ମନେରଖିବା ଦରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଉଁ ମୂହୁର୍ତ୍ତରେ ବି ବଦଳିଯାଇ ପାରନ୍ତି । ଗତ କିଛିଦିନ ପୂର୍ବରୁ ଯିଏ ଭାରତକୁ ନିଜର ଭଲ ବନ୍ଧୁ କହିଆସୁଥିଲେ ସେ ଆଜି ଭାରତକୁ ଶତ୍ର ପରି ବ୍ୟବହାର କରୁଛନ୍ତି । ଆଉ ଯେଉଁ ରାଷ୍ଟ୍ରକୁ ଆତଙ୍କବାଦ ଦେଶ ବୋଲି କହୁଥିଲେ ଆଜି ତାଙ୍କୁ କୋଳେଇ ନେଇଛନ୍ତି । ତେବେ ଏପରି ଦିନ ନଆସୁ ମଝି ରାସ୍ତାରେ ପାକିସ୍ତାନର ହାତ ନଛାଡ଼ିଦିଅନ୍ତୁ ଟ୍ରମ୍ପ, ଯଦି ଏପରି ହୁଏ ତାହେଲେ ତଳିତଳାନ୍ତ ହୋଇଯିବ ପାକିସ୍ତାନ ।