କନକ ବ୍ୟୁରୋ: ଜାତିସଂଘରେ ଫେଲ୍‌ ମାରିଲା ପାକିସ୍ତାନର ଡ୍ରାମା । ନିଜ ଜାଲରେ ଓଲଟା ଫସିଲା ପାକ୍ । ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା । ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ । ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଛି । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନ୍‌ଏସ୍‌ସି । ତେବେ ଭାରତ ସହ ଆଲୋଚନା କରି ସ୍ଥିତି ସମ୍ଭାଳିବାକୁ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଜାତିସଂଘ ।