କନକ ବ୍ୟୁରୋ: ୨୦୨୫ ମସିହାର ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସଙ୍କଟର ବାଦଲ । ଏହି ଟୁର୍ଣ୍ଣାମେଣ୍ଟ ବିସିସିଆଇ ଦ୍ୱାରା ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ସୂଚାଇ ଦେଉଛି ଯେ ୨୦୨୫ ମସିହାର ଏସିଆ କପ୍ ମଧ୍ୟ ବାତିଲ ହୋଇପାରେ ।
ଯଦି ଚଳିତ ବର୍ଷ ଏସିଆ କପ୍ ବାତିଲ ହୁଏ, ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିବ । ପିସିବି ଚଳିତ ଆର୍ଥିକ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି)ଠାରୁ ୮.୮ ବିଲିୟନ ଟଙ୍କା ରାଜସ୍ୱ ପାଇବାର ଆଶା କରୁଛି ।
ସୂତ୍ର ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାର ବଜେଟରେ ଆଇସିସିରୁ ପାଇବାକୁ ଥିବା ପରିମାଣ ପ୍ରାୟ ୨୫.୯ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୭.୭ ବିଲିୟନ ଟଙ୍କା) ଦର୍ଶାଇଛି । ଏହା ବ୍ୟତୀତ, ପିସିବି ଏସିଆ କପରୁ ୧.୧୬ ବିଲିୟନ ଟଙ୍କା ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରୁ ୭୭ ଲକ୍ଷ ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି ।
ଆଇସିସି ଏବଂ ଏସିଆ କପରୁ ଏହି ଆୟ ପାକିସ୍ତାନ କ୍ରିକେଟର ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।' ଏହାର ଅର୍ଥ ଯଦି ଏସିଆ କପ୍ ନହୁଏ ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ୧.୧୬ ବିଲିୟନ ଟଙ୍କାର କ୍ଷତିର ସମ୍ମୁଖୀନ ହେବ, ଯାହା ଫଳରେ ଏହାର ଆର୍ଥିକ ଅବସ୍ଥା ଖରାପ ହେବ ।
ଏସିଆ କପର ତାରିଖ ଏବଂ ସ୍ଥାନ ନେଇ ଅନିଶ୍ଚିତତା ସେତେବେଳେ ବୃଦ୍ଧି ପାଇଲା ଯେତେବେଳେ ପିସିବି ଏବଂ ଏସିସି ଅଧ୍ୟକ୍ଷ ମୋହସିନ ନକଭି ସିଙ୍ଗାପୁରରେ ଅନୁଷ୍ଠିତ ଆଇସିସି ବୈଠକରେ ଯୋଗ ଦେଲେ ନାହିଁ ଏବଂ ଅନଲାଇନରେ ଏଥିରେ ଅଂଶଗ୍ରହଣ କଲେ । ନକଭି ବର୍ତ୍ତମାନ ପାକିସ୍ତାନର ଗୃହମନ୍ତ୍ରୀ ରହିଛନ୍ତି । ପିସିବି ସିଇଓ ସୁମୈର ଅହମ୍ମଦ ଆଇସିସି ବୈଠକରେ ଯୋଗ ଦେଇଥିଲେ, କିନ୍ତୁ ତାଙ୍କୁ ବିସିସିଆଇ, ଶ୍ରୀଲଙ୍କା କ୍ରିକେଟ ଏବଂ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳିପାରି ନାହିଁ ।
ବିସିସିଆଇ, ଶ୍ରୀଲଙ୍କା କ୍ରିକେଟ, ଆଫଗାନିସ୍ତାନ ଏବଂ ଓମାନ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛନ୍ତି ଯେ ସେମାନେ ୨୪ ଜୁଲାଇରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ଏସିସି ବୈଠକରେ ସେମାନଙ୍କର ପ୍ରତିନିଧିଙ୍କୁ ପଠାଇବେ ନାହିଁ । ଏସିସି ଅଧ୍ୟକ୍ଷ ମୋହସିନ ନକଭି ଚାହାନ୍ତି ଯେ ବୈଠକ ଢାକାରେ ହିଁ ହେଉ, ଯାହା ଦ୍ଵାରା ବିସିସିଆଇ ଉପରେ ଅନାବଶ୍ୟକ ଚାପ ନ ପଡୁ । ତଥାପି, ବିସିସିଆଇ ବିନା ଏକ ବୈଠକ କଳ୍ପନା କରିବା କଷ୍ଟକର । ଏପରି ପରିସ୍ଥିତିରେ, ଏସିସି ଅଧ୍ୟକ୍ଷଙ୍କ ଯୋଜନା ସଫଳ ହେବା ପରି ମନେ ହେଉନାହିଁ ।
ICC ବୈଠକ ସମୟରେ ହୋଇଥିବା ସାଇଡଲାଇନ୍ ଆଲୋଚନାରୁ ଏହା ମଧ୍ୟ ସ୍ପଷ୍ଟ ଯେ ଏସିଆ କପ୍ 2025 ଏବେ ସେପ୍ଟେମ୍ବରରେ ହେବାର ସମ୍ଭାବନା କମ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ, ଟୁର୍ଣ୍ଣାମେଣ୍ଟକୁ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଆୟୋଜନ କରାଯିବାକୁ ବିଚାର କରାଯାଉଥିଲା, କିନ୍ତୁ ସଦ୍ୟତମ ଘଟଣାକ୍ରମ ଏହି ସସପେନ୍ସକୁ ଆହୁରି ବୃଦ୍ଧି କରିଛି ।
ଅନ୍ୟପକ୍ଷରେ, ପିସିବି ପାକିସ୍ତାନ ସୁପର ଲିଗ୍ (ପିଏସଏଲ)ରୁ ୨.୫ ବିଲିୟନ ଟଙ୍କା ରାଜସ୍ୱ ଆକଳନ ମଧ୍ୟ ଅନ୍ତର୍ଭୁକ୍ତ କରିଛି । ମୋଟାମୋଟି ଭାବରେ, ୨୦୨୫ ବର୍ଷ ପାଇଁ ପିସିବିର ବଜେଟ୍ ପ୍ରାୟ ୧୮.୮ ବିଲିୟନ ଟଙ୍କା । ଯଦି ଏସିଆ କପ୍ ବାତିଲ ହୁଏ ତେବେ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତିକରିପାରେ ।