କନକ ବ୍ୟୁରୋ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଜଣେ ପ୍ରସିଦ୍ଧ ବଲୁଚ ଲେଖକ ମୀର ୟାର ବଲୁଚ ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ୱାଧୀନତା ଦାବି କରିଛନ୍ତି । ସେ ଭାରତ ସରକାରଙ୍କଠାରୁ ନୂଆଦିଲ୍ଲୀରେ ବଲୁଚିସ୍ତାନର ଦୂତବାସ ଖୋଲିବାକୁ ଅନୁମତି ମାଗିଛନ୍ତି । ବଲୁଚ ଜନସାଧାରଣଙ୍କ ପାଇଁ ଓକିଲାତି କରୁଥିବା ମୀର ୟାର ବଲୁଚ ସୋସିଆଲମିଡିଆରେ ଅନେକ ପୋଷ୍ଟ କରି ସେ ଏହି ଦାବି କରିଛନ୍ତି । ସେ ସଂଯୁକ୍ତ ରାଷ୍ଟ୍ରକୁ ବଲୁଚିସ୍ତାନର ଶାନ୍ତି ସେନା ପଠାଇବାକୁ ନିବେଦନ କରିଛନ୍ତି । ଆଉ ଦାବି କରିଛନ୍ତି କି ପାକିସ୍ତାନ ସେନା ଏହି ଅଞ୍ଚଳରୁ ଚାଲିଯାଉ ।
ମୀର ୟାରଙ୍କ ଏହି ବୟାନ ଭାରତ ଓ ପାକିସ୍ତାନ ଯୁଦ୍ଧ ଭିତରେ ଆସିଛି । ଗତ ମଙ୍ଗଳବାର ମଧ୍ୟରାତିରେ ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଅପରେସନ ସିନ୍ଦୂରରେ ଦେଇଥିଲା ଭାରତ । ପିଓକେ ଓ ପାକିସ୍ତାନର ଆତଙ୍କରୀ ଶିବିରରେ ଭାରତ ଏୟାର ଷ୍ଟ୍ରାଇକ କରି ଆତଙ୍କୀ ଆଡ୍ଡାକୁ ଉଡ଼ାଇ ଦେଇଥିଲା । ଏହାପରେ ପାକିସ୍ତାନ କାଶ୍ମୀରରେ ଜନସାଧାରଣଙ୍କୁ ଟାର୍ଗେଟ କରିଥିଲା । ଆଉ ଭାରତର କିଛି ସ୍ଥାନରେ ମିସାଇଲ ମାଡ ପାଇଁ ଉଦ୍ୟମ କରିଥିଲା । ହେଲେ ଏହାକୁ ପଣ୍ଡ କରିଦେଇଥିଲେ ଭାରତୀୟ ସେନା । ଆଉ ଏହାର ଜବାବରେ ଭାର ପାକିସ୍ତାନର କିଛି ସ୍ଥାନରେ ଡ୍ରୋନ ଆଉ ମିସାଇଲ ଆଟାକ କରି ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ଉଡାଇଦେଇଥିଲା ।