କନକ ବ୍ୟୁରୋ: ମ୍ୟାଚ ପରାଜୟଠାରୁ ହ୍ୟାଣ୍ଡସେକ୍ ନକରିବା ପାକିସ୍ତାନକୁ ବହୁତ ବାଧିଛି । ସେଥିପାଇଁ ପିସିବି ଏସିସି ଆଗରେ ବହୁତ କାନ୍ଦିଛି । କାନ୍ଦିବନି ବା କେମିତି ଏସିସିର ଅଧ୍ୟକ୍ଷ ଅଛନ୍ତି ପରା ମୋହସିନ୍ ନକଭି । ଯେତେ କାନ୍ଦିଲେ ବି ଆଉ କିଛି ହେବନି । କାରଣ ଆଗକୁ ପାକିସ୍ତାନ ଟିମ୍ ଆହୁରି ବେଜିତ୍ ହେବ । ଯଦି ଭାରତୀୟ ଟିମ୍ ଏସିଆ କପରେ ଚାମ୍ପିୟନ ହୁଏ ତେବେ କୌଣସି ପାକିସ୍ତାନୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବନାହିଁ । ଯାହା ପାକିସ୍ତାନକୁ ଏକ ବଡ଼ ଝଟକା ହେବ ।
ବର୍ତ୍ତମାନ ଏସିସିର ଅଧ୍ୟକ୍ଷ ଅଛନ୍ତି ମୋହସିନ୍ ନକଭି । ଯିଏ କି ଜଣେ ପାକିସ୍ତାନୀ । ଯଦି କୌଣସି ଦଳ ଚାମ୍ପିୟନ ହୁଏ ତେବେ ଅଧ୍ୟକ୍ଷ ହିସାବରେ ମୋହସିନ୍ ତାଙ୍କୁ ଟ୍ରଫି ପ୍ରଦାନ କରିବେ । ଆଉ ଯଦି ଭାରତ ଚାମ୍ପିୟନ ହୁଏ ତେବେ କଦାପି ମୋହସିନଙ୍କ ହାତରୁ ଟ୍ରଫି ଗ୍ରହଣ କରିବ ନାହିଁ । ବିସିସିଆଇ ଏପର୍ଯ୍ୟନ୍ତ ଏ ବିଷୟରେ ଆନୁଷ୍ଠାନିକ ଭାବରେ କୌଣସି ମନ୍ତବ୍ୟ ଦେଇନାହିଁ, କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ ଯଦି ଭାରତ ସେପ୍ଟେମ୍ବର 28 ତାରିଖରେ ଫାଇନାଲରେ ପ୍ରବେଶ କରେ, ତେବେ ଖେଳାଳିମାନେ ପୁରସ୍କାର ବଣ୍ଟନ ମଞ୍ଚରେ ନକଭିଙ୍କ ସହିତ ଠିଆ ହେବେ ନାହିଁ ।
ଭାରତୀୟ ଦଳର ଏହି ମତ ଦଳ ପରିଚାଳନା, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବରିଷ୍ଠ ଖେଳାଳିମାନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ, ବିସିସିଆଇ ବିଶ୍ୱାସ କରେ ଯେ ହାତ ମିଳାଇବା ଏକ ନିୟମ ନୁହେଁ ବରଂ ଏକ ପରମ୍ପରା । ରୁଲ ବୁକରେ ହାତ ମିଳାଇବା ପାଇଁ କୌଣସି ବାଧ୍ୟତାମୂଳକତା ନାହିଁ, ତେଣୁ ଭାରତ ଆଇନଗତ ଭାବରେ ବନ୍ଧା ନୁହେଁ । ଏହା ମଧ୍ୟ କୁହାଯାଉଛି ଯେ ଯଦି ଏସିଆ କପରେ ଆଗକୁ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି ତେବେ ଟିମ୍ ଇଣ୍ଡିଆ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବେ ନାହିଁ ।
ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବା ଘଟଣା ଏକ ବଡ଼ ବିବାଦରେ ପରିଣତ ହୋଇଛି । ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ସାତ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ଖେଳାଳିମାନେ ପୂରା ମ୍ୟାଚ୍ ସମୟରେ ପାକିସ୍ତାନୀ ଖେଳାଳିଙ୍କ ପ୍ରତି ଧ୍ୟାନ ଦେଇ ନଥିଲେ ଏବଂ ମ୍ୟାଚ୍ ଶେଷ ହେବା ପରେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ୍ ଦୁବେ ସିଧାସଳଖ ପାଭିଲିୟନ୍ ଫେରିଯାଇଥିଲେ । ଆଉ ହ୍ୟାଣ୍ଡସେକ୍ କରିବାକୁ ନଆସି ଡ୍ରେସିଂ ରୁମ୍ କବାଟ ବନ୍ଦ କରିଦେଇଥିଲେ । ଯାହା ପାକିସ୍ତାନ ଟିମକୁ ଶକ୍ତ ଚାପୁଡ଼ା ସଦୃଶ ହୋଇଥିଲା ।
ତେବେ ଏହି ଘଟଣାକୁ ନେଇ ପିସିବି ଆଇସିସିରେ ଅଭିଯୋଗ କରିଥିଲା । ଆଉ ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବାକୁ ଦାବି କରିଥିଲା । ଆଉ କହିଥିଲା ଯଦି ମ୍ୟାଚ ରେଫରିଙ୍କୁ ଏସିଆ କପରୁ ନହଟାଯାଏ ତେବେ ପାକିସ୍ତାନ ଏସିଆ କପକୁ ବୟକଟ୍ କରିବ । ହେଲେ ଆଇସିସି ପାକିସ୍ତାନର ଏହି ଆବେଦନକୁ ଖାରଜ କରିଦେଇଛି । ତେବେ ଦେଖିବା ବାକି ରହିଲା ଆଗାମୀ ମ୍ୟାଚରେ ପାକିସ୍ତାନ ଖେଳୁଛି ନା ନାହିଁ ।