କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ଭାରତ-ପାକିସ୍ତାନ ସୀମା ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଲଗାତର ଏକାଦଶ ଦିନରେ ପାକିସ୍ତାନ ସେନା ଫାୟାରିଙ୍ଗ କରିଛି । ଗତ ରାତିରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ ହୋଇଛି । ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଗୋଟେ ପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ମୋଦୀ ସରକାର ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନ ବିରୋଧରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ତଥାପି ସୁଧୁରୁନି ପାକିସ୍ତାନ । ପ୍ରତିଦିନ ରାତିରେ ଏଲଓସିରେ ଗୁଳିବର୍ଷା କରୁଛି ।
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି । ଅର୍ଥାତ୍ ପୂରା ଅଞ୍ଚଳକୁ ୩୦ ମିନିଟ୍ ପାଇଁ ଅନ୍ଧକାର କରିଦିଆଯାଇଥିଲା । ଫିରୋଜପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ରାତି ୯ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ବ୍ଲାକଆଉଟ୍ ରିହର୍ସାଲ କରାଯାଇଥିଲା । ଏହି ମକଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ । ସେହିପରି ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ୍ ଯୋଗାଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଲୋକଙ୍କୁ ଘରେ ଥିବା ବିଦ୍ୟୁତ ଜେନେରେଟର ଓ ଇନଭର୍ଟର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଥିଲା । ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ମକଡ୍ରିଲ କରାଯାଇଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରାଯାଇଥିବା ବେଳେ ବିଦ୍ୟୁତ ସ୍ବାଭାବିକ କରିବା ପାଇଁ ନିର୍ଦ୍ଧାରିତ ସମୟରେ ସାଇରନ୍ ବାଜିବା ନେଇ ନିର୍ଦ୍ଦେଶ ହୋଇଥିଲା ।