କନକ ବ୍ୟୁରୋ : ପିଲାଦିନେ ବୋଝ ବୋହୁଥିବା ଗଧମାନଙ୍କ କାହାଣୀ ଆମେ ଦେଖିଥିବେ । ଭାରତର ଅନେକ ଗ୍ରାମାଞ୍ଚଳରେ ଏହି କାମ ପାଇଁ ଗଧମାନଙ୍କୁ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଏହି ଦୃଶ୍ୟ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛି । ପାକିସ୍ତାନରେ ଗଧମାନଙ୍କର ଉପଯୋଗିତା ଆଜି ବି ରହିଛି । ପାକିସ୍ତାନର ବହୁଳ ଜନସଂଖ୍ୟା ଗଧମାନଙ୍କଠାରୁ ହେଉଥିବା ଆୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କ ପାଇଁ ଗଧ ପାଳିବା ଏକ ପ୍ରକାରର ପରମ୍ପରା । ଏଠାରେ ଗଧମାନଙ୍କୁ ଯାତାୟତ ପାଇଁ ମଧ୍ୟ ବ୍ୟବହାର କରାଯାଏ ।

Advertisment

d

ଏହା ସହିତ ପାକିସ୍ତାନରେ ଗଧ ଦୌଡ଼ର ମଧ୍ୟ ଏକ ପୁରୁଣା ପରମ୍ପରା ରହିଛି । ଅଗଷ୍ଟ ୧୦ ତାରିଖରେ ପାକିସ୍ତାନର କରାଚୀରେ ସିନ୍ଧ ପ୍ରଦେଶ ସରକାରଙ୍କ ଦ୍ୱାରା ଏକ ଗଧ ଦୌଡ଼ର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ତାଙ୍କର ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବରେ ଆୟୋଜିତ ହୋଇଥିଲା, ଯେଉଁଥିରେ ୫୦ରୁ ଅଧିକ ଗଧଗାଡ଼ି ଭାଗ ନେଇଥିଲେ । 

ଏହି ଦୌଡ଼ର କିଛି ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ରିକ୍ସାର ଚକ ଭଳି ଗାଡ଼ିକୁ ଗଧମାନଙ୍କ କାନ୍ଧରେ ଯୋଡ଼ା ଯାଇଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ଗଧ ଗାଡ଼ିରେ ଜଣେ ଲେଖାଏଁ ବ୍ୟକ୍ତି ବସିଛନ୍ତି ଏବଂ ସେମାନେ ଗଧମାନଙ୍କୁ ଦୌଡ଼ାଇବା ପାଇଁ ବାଡ଼ିରେ ପିଟୁଛନ୍ତି । ରାସ୍ତାରେ ଗଧଗାଡ଼ି ସହିତ କାର୍ ମଧ୍ୟ ଯାଉଥିବାର ଦେଖିବାକୁ ମିଳିଛି । ଯେପରି ଭାରତରେ ଘୋଡ଼ାଗାଡ଼ି ଦୌଡ଼ର ପରମ୍ପରା ରହିଛି, ସେହିପରି ପାକିସ୍ତାନରେ ଗଧଗାଡ଼ି ଦୌଡ଼ ଆୟୋଜିତ ହୋଇଥାଏ ।

donkey

ଏହି ପ୍ରତିଯୋଗିତା କରାଚୀର ବାଗ୍ ଇବନ୍-ଏ-କାସିମ୍, କ୍ଲିଫଟନରୁ ଆରମ୍ଭ ହୋଇ ଫ୍ରେରେ ହଲ୍ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ବିଜେତାମାନଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ନଦୀମଙ୍କୁ ୭୫,୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନରେ ଥିବା ରିଜୱାନଙ୍କୁ ୫୦,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଖାଲିଦ ଇସମାଇଲଙ୍କୁ ୨୫,୦୦୦ ଟଙ୍କାର ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

dd

ପାକିସ୍ତାନ ଅର୍ଥନୀତିରେ ଗଧର ଭୂମିକା

ଗଧମାନେ ପାକିସ୍ତାନ ସରକାରଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟନ୍ତି । ପାକିସ୍ତାନ ଚୀନକୁ ଗଧ ଏବଂ ଏହାର ମାଂସ ଉଭୟ ରପ୍ତାନି କରେ । ଚୀନରେ ପାକିସ୍ତାନୀ ଗଧର ଚାହିଦା ବଢୁଥିବାରୁ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସୂଚନା ଅନୁସାରେ , ଚୀନର କିଛି କମ୍ପାନି ପାକିସ୍ତାନରେ ଗଧ ମାଂସ ରପ୍ତାନି ପାଇଁ ଲାଇସେନ୍ସ ଆବେଦନ କରିଛନ୍ତି ।

ପାକିସ୍ତାନର ପଶୁସମ୍ପଦ ଗଣନା ଅନୁଯାୟୀ, ଦେଶରେ ଗଧମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୫ ମସିହାର ତଥ୍ୟ ଅନୁଯାୟୀ ପାକିସ୍ତାନରେ ଗଧଙ୍କ ସଂଖ୍ୟା ୬ ମିଲିୟନ ଅତିକ୍ରମ କରିଛି । ଗଧମାନଙ୍କ ସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଆଫ୍ରିକୀୟ ଦେଶ ଇଥିଓପିଆ ଏବଂ ସୁଦାନ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।