କନକ ବ୍ୟୁରୋ: ପହଲଗାମ ପ୍ରତିଶୋଧ ନେଇଛି ଭାରତ । ଆତଙ୍କୀସ୍ତାନ ପାକିସ୍ତାନଠୁ ଗୋଟିଗୋଟି କରି ହିସାବ ନିକାଶ କରିଛି। ୨୦ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ବଦଳରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ଜଳ, ସ୍ଥଳ, ଆକାଶ ପଥ, ସବୁଠି ପାକିସ୍ତାନକୁ ଘେରିବା ସହ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ମୁଖା ଖୋଲିଛି । ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଝଟକା ଦେବା ସହ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛି ଭାରତ । ପାକ୍ ଏୟାର ବେସ୍କୁ ଧ୍ୱଂସ କରାଯାଇଛି । ନିଜ ଶରଣରେ ପାକିସ୍ତାନ ରଖିଥିବା କୁଖ୍ୟାତ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଛି ଭାରତୀୟ ସେନା ।
ଛାରଖାର ପାକିସ୍ତାନ
ପାକିସ୍ତାନର ଅଣ୍ଟା ଭାଙ୍ଗିଛି ଭାରତ । ଭାରତୀୟ ସେନା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ମାଟିରେ ମିଶାଇ ଦେଇଛି । ସାମରିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରେ ଏୟାର ବେସ୍ । ବିଶେଷ କରି ଜୈକବାବଦ, ଭୋଲାରୀ, ଲାହୋର, ଚୁନିୟାନ, ସ୍କର୍ଦୁ, ରଫିକ, ମୁରିଦ, ଚକଲାଲା, ରହିମ ୟାର ଖାନ୍, ସୁକ୍କୁର, ଚୁନିୟାନ, ସିଆଲକୋଟ୍ ଏୟାର ବେସ୍କୁ ଧ୍ୱଂସ କରିଛି ଭାରତୀୟ ସେନା । ଜରୁରିକାଳୀନ ସ୍ଥିତିରେ ଏଠାରୁ ବିମାନ ଉଡ଼ାଣ ଭରିଥାଏ ।
ଏବେ ସୁଦ୍ଧା ପାକିସ୍ତାନର ୧୩ଟି ମୁଖ୍ୟ ଏୟାର ବେସ୍ ଧ୍ୱଂସ କରିଛି ଭାରତ । ହିଜବୁଲ ମୁଜାହିଦ୍ଦିନ, ଜୈଶ୍-ଏ- ମହମ୍ମଦ ଓ ଲସ୍କର- ଏ- ତୋଏବାର ଅଣ୍ଟା ଭାଙ୍ଗିଛି ଭାରତ । ଆତଙ୍କୀ ସଂଗଠନର ୧୦ଟି ମୁଖ୍ୟ ଠିକଣା ମାଟିରେ ମିଶିଛି । ହିଜବୁଲର ୨, ଲସ୍କର- ଏ- ତୋଏବାର ୩, ଜୈଶର ୪ଟି ଠିକଣା ଧ୍ୱଂସ କରିଛି ଭାରତୀୟ ସେନା ।
ମୁଜାଫରାବାଦ, କୋଟଲି, ଭୀମବର, ସିଆଲକୋଟ୍, ମୁରିଦିକେ, ବହାବଲପୁରରେ ଥିଲା ଆତଙ୍କୀଙ୍କ ଠିକଣା । ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ପାକିସ୍ତାନ ଆଗରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ବାୟୁସୀମା ବନ୍ଦ, ଡିଜିଟାଲ ଷ୍ଟ୍ରାଇକ୍, ସିନ୍ଧୁଜଳ ଚୁକ୍ତି ରଦ୍ଦ, ଭିସା ରଦ୍ଦ, ବ୍ୟବସାୟ ବନ୍ଦ ହୋଇଛି । ଏହା ସହିତ ୱାଘା-ଅଟାରୀ ସୀମା ବନ୍ଦ, ଭାରତରେ ପାକିସ୍ତାନ କଳାକାର ବ୍ୟାନ୍ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ପୁଣି ଖୋଲିଛି ପାକ୍ ସେନା ଓ ଆତଙ୍କୀଙ୍କ ମୁଖା ।