କନକ ବ୍ୟୁରୋ : ଗୋଟେପଟେ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ପ୍ରତିଆକ୍ରମଣ କରୁଥିଲେ ଭାରତୀୟସେନା , ଲଢୁଥିଲେ ଯୁଦ୍ଧ । କିନ୍ତୁ ଅନ୍ୟପଟେ ସୀମାରେ ଚାଲିଥିଲା ଆଉ ଏକ ଯୁଦ୍ଧ , ପାକିସ୍ତାନୀ ଗୁପ୍ତଚରମାନଙ୍କ ବିରୁଦ୍ଧରେ । ରାଜସ୍ଥାନରେ ପାକିସ୍ତାନୀ ଗୁପ୍ତଚରର ବଡ଼ ନେଟୱାର୍କର ପର୍ଦ୍ଦଫାସ ହୋଇଛି । ସୀମାବର୍ତ୍ତୀ ଅଞ୍ଚଳରେ ଏପରି ଗୁପ୍ତଚର ଧରାପଡ଼ିଛନ୍ତି ଯିଏ କି ରାଜସ୍ଥାନର ପୂର୍ବ ସରକାର ସମୟରେ ମନ୍ତ୍ରୀଙ୍କର ପିଏ ମଧ୍ୟ ରହିସାରିଛନ୍ତି ।
ମୋବାଇଲ୍ ସ୍କ୍ରିନ୍ରେ ଗୋଟେପଟେ ହସୁଥିବା ସୁନ୍ଦରୀ , ଅନ୍ୟପଟେ ଭାରତୀୟ ପୁରୁଷ । ଏହା ହେଉଛି ରାଜସ୍ଥାନରେ ଭାରତୀୟ ସୀମାର ଏହି ପାର୍ଶ୍ୱରେ ପାକିସ୍ତାନ ଗୁପ୍ତଚର ନେଟୱାର୍କର ଏକ ନମୁନା । ଭାରତ ବିରୁଦ୍ଧରେ ଗୁପ୍ତଚର ପାଇଁ ପାକିସ୍ତାନ ଦ୍ୱାରା ରଚିତ ଅନେକ ଷଡ୍ଯନ୍ତ୍ର ମଧ୍ୟରୁ ହନି ଟ୍ରାପ୍ ଷଡ୍ଯନ୍ତ୍ର ଗୋଟିଏ ।
ଭାରତ ମାଟିରେ ବସି ଭାରତର ବିରୁଦ୍ଧରେ ଯାଇ ପାକିସ୍ତାନ ପାଇଁ କରୁଛନ୍ତି ଗୁଇନ୍ଦାଗିରି , ସାଜୁଛନ୍ତି ଦେଶଦ୍ରୋହୀ। ଏହିଭଳି କେତେ ଗୁପ୍ତଚରଙ୍କୁ ସୁରକ୍ଷା ଏଜେନ୍ସି ଧରି ଚାଲିଛି । ଭାରତ-ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳ , ଯେଉଁଠାରେ କି ଆଖି ଯେତେ ଦୂର ଦେଖିବ ସେତେ ଦୂର ମରୁଭୂମି । ସବୁଜିମାର କୌଣସି ଚିହ୍ନ ନାହିଁ କିନ୍ତୁ ମଝିରେ ଅଛି କିଛି କିଛି ଘର । ରାଜସ୍ଥାନର ଜୈସଲମେର ସଂଲଗ୍ନ ପାକିସ୍ତାନୀ ସୀମାରେ ଏହି ଅଞ୍ଚଳଗୁଡ଼ିକରେ କୌଣସି ବଡ଼ ଜନବସତି ନାହିଁ । ସେଠାରେ ଅଧିକ ଜନସଂଖ୍ୟା ମଧ୍ୟ ନାହିଁ । କିନ୍ତୁ ଏଠାରେ କବର ଦେଖାଯିବା ଆରମ୍ଭ ହେଲାଣି ଏବଂ ମରୁଭୂମିରେ ମସଜିଦ ନଜର ଆସିଲାଣି ।
ସୀମାନ୍ତ ଅଞ୍ଚଳରେ ଏହି କବର ଏବଂ ମସଜିଦର ଉପସ୍ଥିତି ହିଁ ଦର୍ଶାଉଛି ଯେ ପାକିସ୍ତାନ ଏହି ଅଞ୍ଚଳଗୁଡ଼ିକରେ ଏକ ବଡ଼ ଗୁପ୍ତଚର ନେଟୱାର୍କ ସ୍ଥାପନ କରିସାରିଛି । ଅପରେସନ୍ ସିନ୍ଦୂର ସମୟରେ ଯେତେବେଳେ ବିଏସ୍ଏଫ୍ , ସେନା , ପୁଲିସ , ସ୍ଥାନୀୟ ପ୍ରଶାସନ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ସୀମାନ୍ତ ଅଞ୍ଚଳରେ କଡ଼ା ନଜର ରଖିଥିଲେ । ସେତେବେଳେ ଏକ ବଡ଼ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ ହୋଇଥିଲା ।
ଗୋଟିଏ ପଟେ ଭାରତୀୟ ସେନା ପାକିସ୍ତାନୀ ଶତ୍ରୁମାନଙ୍କୁ ଧ୍ୱଂସ କରୁଥିଲା । ଅନ୍ୟପଟେ ଭାରତୀୟ ମାଟିରେ ପାକିସ୍ତାନୀ ଷଡ୍ଯନ୍ତ୍ରର ପରଦା ଖୋଲାଯାଉଥିଲା । ନିକଟରେ ପାକିସ୍ତାନରୁ ଭାରତ ସୀମାକୁ ଆସିଥିଲା ଏକ ମିଠା ପ୍ୟାକେଟ୍ , ଯାହାକୁ ବହୁତ ସତର୍କତାର ସହିତ ଖୋଲାଯାଇଥିଲା । ପ୍ରଥମେ ଉପରେ ଏକ ପ୍ଲାଷ୍ଟିକ୍ ବ୍ୟାଗ ଥିଲା । ତା' ଭିତରୁ ଏକ ପ୍ୟାକେଟ ବାହାରିଥିଲା ଯାହାକୁ କଳା ଟେପ୍ ସହିତ ହଳଦିଆ ପ୍ଲାଷ୍ଟିକ୍ରେ ସିଲ୍ କରାଯାଇଥିଲା । ସେହି ପ୍ଲାଷ୍ଟିକ୍ ଭିତରେ ମିଠାର ଏକ ବାକ୍ସ ଥିଲା । ଏହାକୁ ଖୋଲିବା ମାତ୍ରେ ସେଥିରୁ ରଙ୍ଗୀନ ମିଠା ବାହାରିଲା । ତଦନ୍ତକାରୀ ସଂସ୍ଥାଗୁଡ଼ିକ କିଛି ସମୟ ପାଇଁ ମିଠାର ବାକ୍ସଟିକୁ ପର୍ଯ୍ୟବେକ୍ଷଣ କରି ଏକ ମିଠା ଉଠାଇଥିଲେ । ସେହି ମିଠା ଭିତରେ ଏକ ପାକିସ୍ତାନୀ ସିମ୍ କାର୍ଡ ଥିଲା । ପାକିସ୍ତାନ ଏହି ସିମ୍ କାର୍ଡକୁ ଭାରତରେ ଥିବା ତାର ଗୁପ୍ତଚରଙ୍କ ପାଖକୁ ପଠାଇଥିଲା ଯାହା ଦ୍ୱାରା ଗୁପ୍ତଚର ସୂଚନା ମିଳିପାରିବ । ଏହା ଥିଲା ପାକ୍ର ଆଉ ଏକ ଷଡ୍ଯନ୍ତ୍ର ।
ଏହାର ସୁରାଗ ସୁରକ୍ଷା ଏଜେନ୍ସିକୁ ମିଳିଲା ପରେ ସେମାନେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଥିଲେ । ଯାହା ପରେ ଜଣାପଡିଲା ଯେ ଏହି ଷଡ୍ଯନ୍ତ୍ରର ତାର ବହୁତ ଗଭୀର । ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲର ଏବଂ ଭାରତରେ ବସିଥିବା ଗୁପ୍ତଚରଙ୍କ ମଧ୍ୟରେ ଏପରି କଥାବାର୍ତ୍ତାରେ ଟଙ୍କା କାରବାର ବିଷୟରେ ଆଲୋଚନା ହୁଏ ଏବଂ ହ୍ୟାଣ୍ଡଲର ତାଙ୍କୁ ନେଟୱାର୍କକୁ ଆହୁରି କିପରି ବଢାଇବେ ତାହା ମଧ୍ୟ ନିର୍ଦ୍ଦେଶ ଦିଅନ୍ତି । ବର୍ତ୍ତମାନ ଭାରତ ପାଇଁ ଚିନ୍ତାର ବିଷୟ ହେଉଛି ନିଜ ମାଟିରେ ରହି ଟଙ୍କା ଲୋଭରେ ପାକ୍ ସାଜୁଥିବା ଗୁପ୍ତଚର ଆହୁରି ଅନେକ ଅଛନ୍ତି । ଏହାକୁ ଯଥାଶୀଘ୍ର ଶେଷ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।