କନକ ବ୍ୟୁରୋ : ପାକିସ୍ତାନ ଗୁରୁବାର ଦିନ ଭାରତୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କରିଛି । ଜମ୍ମୁ ଓ କାଶ୍ମୀରର ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ ରଖିଛି । ଏହି ନିଷ୍ପତ୍ତି ଯୋଗୁଁ ଭାରତୀୟ ବିମାନ ସେବା ଉପରେ ବ୍ୟାପକ ପ୍ରଭାବ ପଡ଼ିଛି, ବିଶେଷକରି ଦିଲ୍ଲୀ ଓ ଉତ୍ତର ଭାରତର ଅନ୍ୟ ସହରରୁ ପଶ୍ଚିମ ଦେଶକୁ ଯାଉଥିବା ଅନ୍ତର୍ଜାତୀୟ ଉଡ଼ାଣ । ଏହି ପରିପ୍ରେକ୍ଷୀରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ ଏକ ନିର୍ଦ୍ଦେଶନାମା ଜାରି କରି ବିମାନ ସଂସ୍ଥାଗୁଡ଼ିକୁ ଯାତ୍ରୀ ସୁବିଧା ଓ ସୂଚନା ପ୍ରଦାନ ସମ୍ପର୍କରେ ନିର୍ଦ୍ଦେଶ ଦେଇଛି । ପାକିସ୍ତାନର ଏହି ଆକାଶସୀମା ବନ୍ଦ ଯୋଗୁଁ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ ପରି ବିମାନ ସଂସ୍ଥାଗୁଡ଼ିକୁ ୟୁରୋପ, ଉତ୍ତର ଆମେରିକା, ମଧ୍ୟ ପ୍ରାଚ୍ୟ ଓ ପଶ୍ଚିମ ଏସିଆକୁ ଯାଉଥିବା ଉଡ଼ାଣଗୁଡ଼ିକ ପାଇଁ ବିକଳ୍ପ ମାର୍ଗ ଗ୍ରହଣ କରିବାକୁ ପଡ଼ିଛି । ଏହି ନୂଆ ମାର୍ଗ, ଯେପରିକି ଆରବ ସାଗର ଉପର ଦେଇ ଯିବା ନେଇ ଚିନ୍ତା କରୁଛି । ଉଡ଼ାଣ ସମୟ ୧ଘଣ୍ଟାରୁ ୩ଘଣ୍ଟା ପର୍ୟ୍ୟନ୍ତ ବୃଦ୍ଧି ହୋଇପାରେ ଫଳରେ, ଅଧିକ ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଯୋଗୁଁ ବିମାନ ଯାତ୍ରା ଟିକେଟ ମୂଲ୍ୟ ୮ ରୁ ୧୨ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଡିଜିସିଏର ନିର୍ଦ୍ଦେଶନାମା ଅନୁଯାୟୀ, ବିମାନ ସଂସ୍ଥାଗୁଡ଼ିକୁ ଯାତ୍ରୀମାନଙ୍କୁ ମାର୍ଗ ପରିବର୍ତ୍ତନ, ଅତିରିକ୍ତ ଉଡ଼ାଣ ସମୟ ଏବଂ ମଝିରେ ହେଉଥିବା ଟେକ୍ନିକାଲ ଷ୍ଟପ ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏହା ସହିତ, ଯାତ୍ରୀଙ୍କ ସୁବିଧା ପାଇଁ ବିମାନରେ ଅତିରିକ୍ତ ଖାଦ୍ୟ, ପାନୀୟ ଓ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପରି ସଂସ୍ଥାଗୁଡ଼ିକ ଯାତ୍ରୀମାନଙ୍କୁ ସୂଚନା ଦେଇ ଫ୍ଲାଇଟ ସୂଚୀ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଇଣ୍ଡିଗୋ ତାସକେଣ୍ଟ ଓ ଆଲମାଟୀ ଉଡ଼ାଣ ବାତିଲ କରିଛି । ବିଶେଷଜ୍ଞମାନେ କହୁଛନ୍ତି, ଏହି ବନ୍ଦ ଦୀର୍ଘସ୍ଥାୟୀ ହେଲେ ଭାରତୀୟ ବିମାନ ସଂସ୍ଥାଗୁଡ଼ିକ ବଡ଼ ଆର୍ଥିକ କ୍ଷତି ସହିବେ । ୨୦୧୯ରେ ବାଲାକୋଟ ଆକ୍ରମଣ ପରେ ପାକିସ୍ତାନର ଆକାଶସୀମା ବନ୍ଦ ହେବା ଯୋଗୁଁ ଭାରତୀୟ ବିମାନ ସଂସ୍ଥାଗୁଡ଼ିକର ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ହୋଇଥିଲା । ବର୍ତ୍ତମାନ ଏହି ସ୍ଥିତି ଯାତ୍ରୀ ଓ ବିମାନ ସଂସ୍ଥା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।