କନକ ବ୍ୟୁରୋ : ଗୋଟିଏ ପଟେ ଆତଙ୍କୀଙ୍କୁ ପୋଷୁଛି ପାକିସ୍ତାନ । ଅନ୍ୟପଟେ ଆଇଏମଏଫ୍ ବଢ଼ାଇଛି ସହାୟତାର ହାତ । ଆଇଏମଏଫ୍ ପାକିସ୍ତାନ ପାଇଁ ୧.୩ ବିଲିୟନ ଡଲାର ବା ୮ହଜାର ୫ଶହ କୋଟି ଟଙ୍କାର ଅନୁମୋଦନ ପ୍ରଦାନ କରିଛି । ପାକିସ୍ତାନକୁ ଅନୁଦାନ ଦେବାକୁ ଆପତ୍ତି ପ୍ରକାଶ କରିଥିଲା ଭାରତ । ଏପରିକି ଭାରତ ଭୋଟିଂରୁ ମଧ୍ୟ ଦୂରେଇ ରହିଥିଲା । ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି ଆଇଏମଏଫ୍ । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହିଆସୁଛି ।
ସେହିପରି ଆଇଏମ୍ଏଫ୍ ନିକଟରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଭାରତ ଚିନ୍ତା ପ୍ରକଟ କରି କହିଛି ଯେ ଯଦି ଏହାକୁ ପାଣ୍ଠି ଯୋଗାଇ ଦିଆଯାଏ, ତେବେ ଏହାର ଅପବ୍ୟବହାର ହେବ । ୧୯୮୯ ମସିହାରୁ ଅର୍ଥାତ ଗତ ୩୬ ବର୍ଷ ମଧ୍ୟରେ ପାକିସ୍ତାନକୁ ୨୮ ବର୍ଷ ଧରି ଲଗାତାର ଆଇଏମ୍ଏଫ୍ ଋଣ ପ୍ରଦାନ କରିଆସୁଛି । ୨୦୧୯ ପରଠାରୁ ଗତ ୫ ବର୍ଷରେ ଆଇଏମ୍ଏଫ୍ ୪ଥର ପାକିସ୍ତାନକୁ ଋଣ ଦେଇଛି । ଯଦି ପୂର୍ବ ଋଣଗୁଡ଼ିକର ସଠିକ୍ ବିନିଯୋଗ ହୋଇଥାନ୍ତା, ତେବେ ପାକିସ୍ତାନକୁ ଆଉଏକ ବେଲଆଉଟ୍ ପ୍ୟାକେଜ୍ ପାଇଁ ଆଇଏମ୍ଏଫ୍ ନିକଟକୁ ଆସିବାକୁ ପଡ଼ିଥାନ୍ତା । ହେଲେ ଏବେ ପୁଣିଥରେ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେଇଛି । ଆଇଏମ୍ଏଫ୍ ବୈଠକରେ ଭାରତ କହିଛି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଛି । ଏପରିକି ଆତଙ୍କବାଦକୁ ପ୍ରୋତ୍ସାହନ ମଧ୍ୟ ଦେଇ ଆସୁଛି । ଏଭଳି ଦେଶକୁ ଋଣ ଦେବା ଏକ ବିପଜ୍ଜନକ ବାର୍ତ୍ତା ଯାଉଛି, ଯାହା ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବା ସହ ବିଶ୍ୱ ମୂଲ୍ୟବୋଧକୁ ଉପହାସ କରୁଛି । ପାକିସ୍ତାନକୁ ବେଲ୍ ଆଉଟ୍ ପ୍ୟାକେଜ୍ ଦେବାକୁ ଭାରତ ଭୋଟ୍ ଦେବାରୁ ବିରତ ରହିଥିଲା ।