କନକ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ପାକିସ୍ତାନର ଅସଲ ମୁଖା । ଗୋଟିଏ ପଟେ ପାକିସ୍ତାନ କହୁଛି ସେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉନି ଓ କୌଣସି ପ୍ରକାର ଆକ୍ରମଣରେ ତାର ହାତ ନାହିଁ । କିନ୍ତୁ ଅନ୍ୟପଟେ ଆତଙ୍କୀଙ୍କ ଘର ସଜାଡୁଛନ୍ତି ଶେହେବାଜ ସରକାର । ଏହାର ତାଜା ପ୍ରମାଣ ସାମ୍ନାକୁ ଆସିଛି । ଭାରତର ଅପରେସନ ସିନ୍ଦୂରରରେ ଛାରଖାର ହୋଇଥିବା ଲସ୍କର-ଏ-ତୋଏବା ଆଡ୍ଡାକୁ ପୁଣି ସଜାଡୁଛି ପାକିସ୍ତାନ ସରକାର । ପଞ୍ଜାବ ପ୍ରାନ୍ତର ମୁରିଦକେରେ ଥିବା ଲସ୍କର ମୁଖ୍ୟାଳୟ, ମରକଜ ତୋଏବାକୁ ମାଟିରେ ମିଶାଇଥିଲା ଭାରତୀୟ ସେନା । ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଏହି ସବୁ ଠିକଣାକୁ ପୁଣି ଗଢୁଛି ପାକିସ୍ତାନ ସରକାର । ଯାହାର କିଛି ଫଟୋ ସାମ୍ନାକୁ ଆସିଛି ।
ସୂଚନା ମୁତାବକ ଅପରେସନ ସିନ୍ଦୂର ପରେ ଚୂରମାର ହୋଇଥିବା ଆତଙ୍କୀ ଠିକଣାକୁ ପୁଣି ସଜାଡୁଛି ପାକିସ୍ତାନ । ଲସ୍କର ଉପରେ ଶେହେବାଜଙ୍କ ଦୟାଠୁ କମ୍ ନୁହେଁ । ଲସ୍କର ପାଇଁ ୧୫କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଇଛି ପାକିସ୍ତାନ । -ମୁରିଦକେ ମୁଖ୍ୟାଳୟକୁ ପୁଣି ନିର୍ମାଣ କରାଯାଉଛି । ଭଙ୍ଗା କୋଠା ନିକଟରେ ବଡ଼ ବଡ଼ ମେସିନ ଦେଖିବାକୁ ମିଳିଛି । ମରାମତି ସହ ନୂଆ କୋଠା ନିର୍ମାଣ ହେଉଛି । ଗତ ଅଗଷ୍ଟ ୧୮ରୁ କାମ ଆରମ୍ଭ ହେଲାଣି । ୨୦୨୬ ଫେବ୍ରୁଆରି ୫ରେ ମୁଖ୍ୟାଳୟ ଉଦଘାଟନ କରାଯିବ । କାଶ୍ମୀର ଏକତା ଦିବସରେ ପୁଣି ମୁଣ୍ଡ ଟେକିବ ଲସ୍କର-ଏ-ତୋଏବା । ପୂର୍ବ ପରି ମୁଖ୍ୟାଳୟକୁ ଆତଙ୍କୀ ଗତିବିଧି ପାଇଁ ବ୍ୟବହାର କରାଯିବ । ଲସ୍କର-ଏ-ତୋଏବାର ଦୁଇ ପ୍ରମୁଖ ଅବୁ ଜାର ଓ ଉଲ ମୁଜାହିଦ୍ଦିନକୁ ମୁରିଦକେ ନିର୍ମାଣ ଦାୟିତ୍ୱ ଦିଆଯାଇଛି ।
ଆତଙ୍କୀଙ୍କ ନୂଆ କୋଠା ନିର୍ମାଣ ପାଇଁ ୧୫କୋଟି ଟଙ୍କା ଦେଇଛନ୍ତି ଶେହେବାଜ ସରିଫ । ଗତ ମେ ୭ ତାରିଖ ରାତି ପ୍ରାୟ ରାତି ୧୨.୩୫ରେ ବଡ଼ ଆକ୍ରମଣ କରିଥିଲା ଭାରତ । ଯୁଦ୍ଧ ବିମାନ ମିରାଜ ମୁରିଦକେ ଉପରେ ମିସାଇଲ ମାଡ଼ କରିଥିଲା । ମିସାଇଲ ମାଡ଼ରେ ମାଟିରେ ମିଶିଥିଲା ଲସ୍କର ମୁଖ୍ୟାଳୟ । ଏଠାରେ ଆତଙ୍କୀଙ୍କୁ ଟ୍ରେନିଂ ଦିଆଯିବା ସହ ଭାମିତ୍ରାର ବିସ୍ଫୋରକ ସାମଗ୍ରୀ ରଖାଯାଉଥିଲା ।