ମସୁଦ ଓ ଆଝାରକୁ ପ୍ରତ୍ୟର୍ପଣ କରିବ ପାକ୍‌ ! ବଡ଼ ବୟାନ ଦେଲେ ବିଲାୱଲ୍‌

ବିଲାୱଲ କହିଛନ୍ତି, ପାକିସ୍ତାନ ସହ ଭାରତର ବିସ୍ତୃତ ଆଲୋଚନାର ଏକ ଅଂଶ ଭାବରେ ହାଫିଜ ସୟିଦ ଓ ମସୁଦ ଆଝାରର ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ ପଛଘୁଞ୍ଚା ଦେବନାହିଁ । 

syd n azhar

କନକ ବ୍ୟୁରୋ: ଭାରତର ଦୁଇ ମୋଷ୍ଟ୍‌ ୱାଣ୍ଟେଡ ପାକ୍‌ ଆତଙ୍କବାଦୀ ହାଫିଜ ସୟିଦ ଓ ମସୁଦ ଆଝାରକୁ ନେଇ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍‌ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଛନ୍ତି ଯେ ଯଦି ନୂଆଦିଲ୍ଲୀ ବିଶ୍ବାସ ସୃଷ୍ଟିକାରୀ ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରସ୍ତୁତ ହୁଏ ତେବେ  ଆମେ ଭାରତର ତଦନ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ ବ୍ୟକ୍ତିବିଶେଷଙ୍କୁ  ପ୍ରତ୍ୟର୍ପଣ କରିବାକୁ ପ୍ରସ୍ତୁତ ଅଛୁ । ବିଲାୱଲ ଶୁକ୍ରବାର ଅଲ୍‌ଜଜିରା ନାମକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି । ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ଏବଂ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ସମ୍ଭାବ୍ୟ ବୁଝାମଣା ଓ ବିଶ୍ବାସ ସୃଷ୍ଟିକାରୀ ପ୍ରୟାସ ଦୃଷ୍ଟିରୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଲାଵାଲ ଏହି ମନ୍ତବ୍ୟ ଦେଇଛନ୍ତି ।

ବିଲାୱଲ କହିଛନ୍ତି, ପାକିସ୍ତାନ ସହ ଭାରତର ବିସ୍ତୃତ ଆଲୋଚନାର ଏକ ଅଂଶ ଭାବରେ ହାଫିଜ ସୟିଦ ଓ ମସୁଦ ଆଝାରର ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ ପଛଘୁଞ୍ଚା ଦେବନାହିଁ । ଜାତୀୟ ଆତଙ୍କବାଦ ନିରୋଧୀ ପ୍ରାଧିକରଣ(ନାକ୍ଟା)  ଅନୁଯାୟୀ, ଉଭୟ ଲସ୍କର ଓ  ଜୈସ-ଏ-ମହମ୍ମଦକୁ ପାକିସ୍ତାନ ନିଷିଦ୍ଧ କରିଥିବା ବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ୩୩ ବର୍ଷ ଜେଲ୍ ଦଣ୍ଡ ଭୋଗୁଛି । ସେହିପରି ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଆଝାରକୁ ନାକ୍ଟା ମଧ୍ୟ ନିଷିଦ୍ଧ କରିଛି । 

ବିଲାୱଲ କହିଛନ୍ତି ଯେ, ଏହି ବ୍ୟକ୍ତିବିଶେଷଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତାହା ପାକିସ୍ତାନ ସହିତ ଜଡ଼ିତ, ଯେପରିକି ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ । ତେବେ ଭାରତ ଏ ବାବଦ ତଦନ୍ତ ସର୍ତ୍ତ ପୂରଣ କରୁନଥିବାରୁ ସୀମାପାର ଆତଙ୍କବାଦ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ବୋଲି ସେ କହିଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପାଇଁ ଆବଶ୍ୟକ କେତେକ ଦସ୍ତାବିଜ ଭାରତ ପ୍ରଦାନ କରିପାରିନାହିଁ ବୋଲି ବିଲାୱଲ କହିଛନ୍ତି । 

ଅନ୍ୟପକ୍ଷରେ ହାଫିଜ ଓ ମସୁଦର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପଚରାଯିବାରୁ ବିଲାୱଲ କହିଛନ୍ତି ଯେ ହାଫିଜ ଏବେ ଜେଲ୍‌ରେ ଥିବା ବେଳେ ଇସଲାମାବାଦ ବିଶ୍ୱାସ କରୁଛି ଯେ, ମସୁଦ ଆଫଗାନିସ୍ତାନରେ ରହିଛି । ମସୁଦକୁ ନେଇ ବିଲାୱଲଙ୍କ ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରାଯାଇଛି । ମସୁଦ ପାକିସ୍ତାନରେ ହିଁ ଅଛି ଏବଂ ତାକୁ ପୁଲିସ ଓ ସେନା ପକ୍ଷରୁ ସୁରକ୍ଷା ଦିଆଯାଉଥିବା ବେଳେ ବିଲାୱଲଙ୍କ ବୟାନକୁ ନେଇ ଅନେକ ବିସ୍ମୟ ପ୍ରକଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe