ପାକିସ୍ତାନର ଗଣମାଧ୍ୟମ ସମ୍ପ୍ରତି ଏକ ଅତ୍ୟନ୍ତ କଷ୍ଟକର ଓ ଆହ୍ବାନମୂଳକ ସମୟ ଦେଇ ଗତି କରୁଛି । ସାମ୍ବାଦିକମାନଙ୍କର କଣ୍ଠରୋଧ କରାଯାଉଛି। ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ବହୁ ମୂଲ୍ୟ ଦେବାକୁ ପଡୁଛି। ପାକିସ୍ତାନରେ ପ୍ରେସ୍ ସ୍ୱାଧୀନତାର ଚାଲିଥିବା ସଙ୍କଟ ଯୋଗୁ ଅଭିବ୍ୟକ୍ତିର ସ୍ୱାଧୀନତା ଏବେ କେବଳ କାଗଜପତ୍ରରେ ରହିଥିବା ଏକ ଶବ୍ଦ ଭାବେ ସୀମିତ ହେବାରେ ଲାଗିଛି। ସାମ୍ବାଦିକମାନେ କଠୋର ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଜର୍ଣ୍ଣାଲିଜିମ୍ ପାକିସ୍ତାନର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ,ସାମ୍ବାଦିକମାନଙ୍କୁ ଭୟଭୀତ କରିବା ଓ ଧମକ ଦେବା ପାଇଁ ବିଭିନ୍ନ ଆଇନ ବ୍ୟବହାର କରାଯାଉଛି। ଏଭଳି ପରିବେଶ ବ୍ୟକ୍ତିଗତ ସୁରକ୍ଷାକୁ ପ୍ରଭାବିତ କରିବା ସହିତ ଦେଶର ସାମଗ୍ରିକ ଗଣତାନ୍ତ୍ରିକ ଗଠନ ଓ ସାଧାରଣ ଆଲୋଚନା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବା ଆରମ୍ଭ କରିଛି।

Advertisment

ଆଇନର ଅପବ୍ୟବହାର

ପାକିସ୍ତାନରେ ସାମ୍ବାଦିକମାନଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍ ଅପରାଧ ନିବାରଣ ଆଇନ (ପିଇଏସ୍‌)ଓ ଅପରାଧିକ ମାନହାନି ଭଳି ଆଇନର ବ୍ୟାପକ ଅପବ୍ୟବହାର କରାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକର ବର୍ଦ୍ଧିତ ଚାପ ଓ କଠୋର ଆଇନଗତ ନିୟନ୍ତ୍ରଣ ସାମ୍ବାଦିକମାନଙ୍କୁ ମୁକ୍ତ ଭାବରେ ସେମାନଙ୍କର କାମ କରିବାରୁ ବାଧା ଦେଉଛି। ଏହା ସହିତ, ରିପୋର୍ଟିଂକୁ ସୀମିତ କରିବା ପାଇଁ ଈଶା ନିନ୍ଦା ଓ ଆତଙ୍କବାଦ ବିରୋଧୀ ବ୍ୟବସ୍ଥାକୁ ପ୍ରଭାବଶାଳୀ ଉପକରଣ ଭାବରେ ବ୍ୟବହାର କରାଯାଉଛି।

ସୁରକ୍ଷା ଓ ଶାରୀରିକ ହିଂସା

ସମ୍ବେଦନଶୀଳ ଆଞ୍ଚଳିକ ପ୍ରସଙ୍ଗ ଓ ରାଜନୈତିକ ଆନ୍ଦୋଳନଗୁଡ଼ିକର ରିପୋର୍ଟିଂ କରୁଥିବା ସାମ୍ବାଦିକମାନେ ପ୍ରାୟତଃ ଶାରୀରିକ ହିଂସା ଓ ହଇରାଣର ସମ୍ମୁଖୀନ ହେଉଛନ୍ତି। ସୁରକ୍ଷା ଅଭିଯାନ ସମୟରେ ଅନେକ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି ଓ ସେମାନଙ୍କ ବୃତ୍ତିଗତ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି। ରିପୋର୍ଟ ଅନୁଯାୟୀ, ଏପରି ଘଟଣା ପରେ କୌଣସି ସ୍ୱଚ୍ଛ ତଦନ୍ତ ହେଉନାହିଁ।

ମହିଳା ସାମ୍ବାଦିକ ସମସ୍ୟାରେ

ପାକିସ୍ତାନରେ ମହିଳା ସାମ୍ବାଦିକମାନେ ଅନଲାଇନରେ ସମନ୍ୱିତ ଟ୍ରୋଲିଂ, ଧମକ ଓ ଅପମାନଜନକ ମନ୍ତବ୍ୟର ସମ୍ମୁଖୀନହେଉଛନ୍ତି। ସେମାନଙ୍କର ମାନବାଧିକାର ଓ ରାଜନୀତି ଉପରେ ରିପୋର୍ଟ କରୁଥିବା ବୃତ୍ତିଗତ ପ୍ରତିଷ୍ଠାକୁ ଜାଣିଶୁଣି କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି। ଧ୍ରୁବୀୟ ରାଜନୈତିକ ପରିବେଶ ଯୋଗୁ ଏହି ଡିଜିଟାଲ୍ ଉତ୍ପୀଡନ ଏକ ବିଶ୍ୱ ସମସ୍ୟା ସହିତ ପାକିସ୍ତାନରେ ଏକ ଆଭ୍ୟନ୍ତରୀଣ ସଙ୍କଟ ପାଲଟିଛି।

ବଢୁଛି ଆତ୍ମ-ସେନ୍ସରସିପ୍

ଆଇନଗତ, ସୁରକ୍ଷା ଓ ଆର୍ଥିକ ଚାପ ଯୋଗୁ ନ୍ୟୁଜରୁମ୍‌ରେ ଆତ୍ମ-ସେନ୍ସରସିପ୍ ଏକ ସାଧାରଣ ତଥା ବାଧ୍ୟତାମୂଳକ ଅଭ୍ୟାସରେ ପରିଣତ ହୋଇଛି। ସମ୍ପାଦକମାନେ ପ୍ରାୟତଃ ଖବର କାହାଣୀର ଭାଷାକୁ କୋହଳ କରୁଛନ୍ତି କିମ୍ବା ବିପଦକୁ କମ୍ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନାମଗୁଡ଼ିକୁ ବାଦ ଦେଉଛନ୍ତି। ଏହି ପ୍ରକ୍ରିୟା ଧୀରେ ଧୀରେ ବୃତ୍ତିଗତ ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ବିଶ୍ୱାସ ତୁଟାଇବାରେ ଲାଗିଛି।ଦେଶରେ ନିରପେକ୍ଷ ସାମ୍ବାଦିକତା ପାଇଁ କୌଣସି ସ୍ଥାନ ନାହିଁ।

ଆଞ୍ଚଳିକ ବିବିଧତା ଓ ବିପଦ

ବେଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱା ଭଳି ପ୍ରଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ସହରାଞ୍ଚଳ କେନ୍ଦ୍ରଗୁଡ଼ିକ ଅପେକ୍ଷା ଆହୁରି ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳଗୁଡ଼ିକରେ ଆଇନଗତ ସହାୟତାର ଅଭାବ ଓ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇବା ସ୍ଥାନୀୟ ଗଣମାଧ୍ୟମ କର୍ମୀଙ୍କ ପାଇଁ ଅସୁବିଧାକୁ ବୃଦ୍ଧି କରୁଛି। ସିନ୍ଧର ଦୁର୍ଗମ ଅଞ୍ଚଳରେ ସୀମିତ ସମ୍ବଳ ଓ ସୁରକ୍ଷାର ଅଭାବ ଯୋଗୁ ରିପୋର୍ଟିଂକୁ ଏବେ ଜୀବନ ପ୍ରତି ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।