କନକ ବ୍ୟୁରୋ : ପାକିସ୍ତାନ ଓ ଚୀନ ମଧ୍ୟରେ ଥିବା ମଧୁର ସଂପର୍କ କାହାକୁ ବା ଅଛପା । ପାକିସ୍ତାନର ଯେକୌଣସି ଅସୁବିଧା ବେଳେ ଚୀନ ଆଗଭର ହୋଇ ସହାୟତା ଯୋଗାଉଛି । ଆର୍ଥିକ ସହାୟତା ଠାରୁ ନେଇ ଅସ୍ତ୍ରଶସ୍ତ୍ର ସହାୟତା ପର୍ଯ୍ୟନ୍ତ ପାକିସ୍ତାନ ସର୍ବଦା ଚୀନ ଉପରେ ନିର୍ଭର କରିଥାଏ । ଆର୍ଥିକ ସଂକଟ ଭିତରେ ଗତି କରୁଥିବା ପାକିସ୍ତାନ ପାଇଁ ଚୀନ ହିଁ ଏକମାତ୍ର ଆଶାର କିରଣ  । ଏସବୁ ଭିତରେ ପାକିସ୍ତାନର କିଛି କାର୍ଯ୍ୟ ଚୀନକୁ ଅଡୁଆରେ ପକାଇଛି । ଚୀନର ୬ ଜଣ ନାଗରିକଙ୍କୁ ପାକିସ୍ତାନ ଏଭଳି ହଇରାଣ କଲା ଯେ, ଶେଷରେ ସେମାନଙ୍କୁ ଉଚ୍ଚ ଅଦାଲତର ଶରଣ ନେବାକୁ ପଡିଲା । ଏହି ୬ ଚୀନ ନାଗରିକ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ପାକିସ୍ତାନ ବନ୍ଦି କରି ରଖିଛି । ସେମାନେ ବାହାରକୁ ଯିବାକୁ ଚାହିଁଲେ ପୋଲିସକୁ ଲାଂଚ ଦେବାକୁ ପଡୁଛି । ଏହା ଫଳରେ ସେମାନଙ୍କର ବ୍ୟବସାୟରେ ବାଧା ଉପୁଜୁଛି । ଏହି ଅଭିଯୋଗ ଉପରେ ସିନ୍ଧ୍ ହାଇକୋର୍ଟ ବିଦେଶ ମନ୍ତ୍ରଣାଳୟ, ଚୀନ ଦୂତାବାସ ସହିତ ସ୍ଥାନୀୟ ପ୍ରଶାସନକୁ ନୋଟିସ ଜାରି କରି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛି ।

Advertisment

ସୂଚନା ମୁତାବକ ପାକିସ୍ତାନରେ ୬ ଚୀନ ନାଗରିକ ପୋଲିସ ଉତ୍ପୀଡନ ବିରୋଧରେ ସିନ୍ଧ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ସେମାନେ ପୋଲିସ ଲାଂଚ ମାଗୁଥିବା ଓ ସୁରକ୍ଷା କାରଣ ଦର୍ଶାଇ ବାହାରକୁ ଛାଡୁ ନଥିବା ଅଭିଯୋଗ ରହିଛି । ଏହି ଅଭିଯୋଗ ଉପରେ ଶୁଣାଣି କରି ଦୁଇଜଣିଆ ଖଣ୍ଡପୀଠ ବିଦେଶ ମନ୍ତ୍ରଣାଳୟ ଓ ପାକିସ୍ତାନରେ ଥିବା ଚୀନ ଦୂତାବାସ ଓ କରାଚୀରେ ଥିବା ଚୀନର ବ୍ୟବସାୟିକ ଦୂତାବାସକୁ ନୋଟିସ ଜାରି କରି ଜବାବ ମାଗିଛି । ଚୀନ ନାଗରିକ ଶୁ ହୁଇ ଡେଙ୍ଗ ହୁଆନ ଓ ଅନ୍ୟ ୪ ଜଣ ଓକିଲ ମାଧ୍ୟମରେ ଆବେଦନ କରିଛନ୍ତି । ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି କି ସମସ୍ତ ଆଇନଗତ ଔପଚାରିକତା ପୁରା କରି ସେମାନେ ପାକିସ୍ତାନ ଆସିଛନ୍ତି । ଏବଂ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅର୍ଥ ବିନିଯୋଗ କରି ବ୍ୟବସାୟ ଚଳାଇଛନ୍ତି । ହେଲେ ପାକିସ୍ତାନ ପୋଲିସ ସୁରକ୍ଷା କାରଣ ଦର୍ଶାଇ ସେମାନଙ୍କୁ ବାହାରକୁ ଛାଡୁନାହିଁ । ଫଳରେ ସେମାନଙ୍କ ବ୍ୟବସାୟରେ ବାଧା ଉପୁଜୁଛି । 

ପାକିସ୍ତାନ ଇତିହାସର ଏହା ପ୍ରଥମ ଘଟଣା । ଯେଉଁଥିରେ ଚୀନ ନାଗରିକ ପାକିସ୍ତାନ ପୋଲିସ ଉପରେ ଉତ୍ପୀଡନ ଅଭିଯୋଗ ଆଣିଛି । ଅଭିଯୋଗରେ ସେମାନେ ପୋଲିସର ବରିଷ୍ଠ ଅଧିକାରୀଙ୍କ ନାମ ଯୋଡିଛନ୍ତି । ଚୀନ ନାଗରିକଙ୍କ କହିବା କଥା ସେମାନେ ସମସ୍ତ ଆଇନଗତ ଦିଗ ଦେଇ ପାକିସ୍ତାନ ଆସିଛନ୍ତି ଓ ସେଠାରେ ନିବେଶ କରିଛନ୍ତି । ସେମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଭାବେ ବ୍ୟବସାୟ କରିବା ହେଉଛି ପାକିସ୍ତାନ ପୋଲିସର ଦାୟିତ୍ୱ । ଏହି ମାମଲା ଏବେ ପାକିସ୍ତାନ ଓ ଚୀନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । କାରଣ ଏଭଳି ଅଭିଯୋଗ ଦୁଇ ଦେଶର ସଂପର୍କ ଉପରେ ପ୍ରଭାବ ପକାଇପାରେ । ପୀଡିତ ଚୀନ ନାଗରିକମାନଙ୍କ ଓକିଲ ରହମାନ ମହସୁଦଙ୍କ କହିବା ମୁତାବକ ସୁରକ୍ଷା ନାମରେ ଉତ୍ପୀଡନ ଓ ଲାଂଚ ନେବା ଗୋପନୀୟତା କାନୁନ ବିରୋଧ ଏବଂ ଅନ୍ୟ କିଛି ସମସ୍ୟା ନେଇ ସେମାନେ ଅଦାଲତର ଶରଣ ନେବାକୁ ନିଷ୍ପତ୍ତି ନେଇଥିଲେ । 

ଚୀନ ନାଗରିକଙ୍କ ତରଫରୁ ମାମଲା ଲଢୁଥିବା ଓକିଲ କହିଛନ୍ତି କି, ସେମାନଙ୍କୁ ବ୍ୟବହାରିକ ରୂପେ ଘରେ ବନ୍ଦିକରି ରଖାଯାଇଛି । ପୋଲିସ ଅଧିକାରୀମାନେ ସେମାନଙ୍କ ବିନା ଅନୁମତିରେ ଶୋଇବା ଘର ପର୍ଯ୍ୟନ୍ତ ପ୍ରବେଶ କରୁଛନ୍ତି । ଯଦି ଏହି ଚୀନ ନାଗରିକମାନେ କୌଣସି କାମରେ ବାହାରକୁ ଯିବାକୁ ଚାହୁଁଛନ୍ତି ତେବେ ପରିବହନ ସେବା ନାମରେ ସେମାନଙ୍କ ଠାରୁ ଲାଂଚ ନିଆଯାଉଛି । ଏଭଳି ୬ ରୁ ୭ ମାସ ହେବ ଚାଲିଥିବା ଚୀନ ନାଗରିକମାନେ ଅଭିଯୋଗ କରିଛନ୍ତି ।