କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ ବଡ଼ ସ୍ବୀକାରୋକ୍ତି କରିଛନ୍ତି । ଆକ୍ରମଣ ଦିନ ପ୍ରସ୍ତୁତ ନଥିଲା ପାକିସ୍ତାନ । ଭାରତର ‘ଅପରେସନ ସିନ୍ଦୂର’କୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ବଡ଼ ସ୍ୱୀକାରୋକ୍ତି କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ ସେନା ଭାରତ ଉପରେ ଯୋଜନାବଦ୍ଧ ଆକ୍ରମଣ ଆରମ୍ଭ କରିବା ପାଇଁ ଯୋଜନା କରିଥିଲା। କିନ୍ତୁ ଏହା ପୂର୍ବରୁ ଭାରତୀୟ ସେନା ପାକିସ୍ତାନ ଭିତରେ ଥିବା ପ୍ରମୁଖ ଟାର୍ଗେଟ୍‌ ଉପରେ ଆଗୁଆ ବ୍ରହ୍ମୋସ୍‌ ଆକ୍ରମଣ କରିଥିଲା । 

Advertisment

ସରିଫ କହିଛନ୍ତି ଯେ, ସକାଳ ପ୍ରାର୍ଥନା ପରେ ପାକିସ୍ତାନ ସେନା ଆକ୍ରମଣ ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଥିଲା । ତେବେ ଏହାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ମେ ୧୦ ତାରିଖ ସକାଳେ ଭାରତ, ରାଓ୍ଵଲପିଣ୍ଡି ବିମାନବନ୍ଦର ସମେତ ଅନେକ ପ୍ରଦେଶକୁ ଟାର୍ଗେଟ କରି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ସରିଫ୍‌ଙ୍କ ଏହି ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିବା ବେଳେ ପାକ୍‌ ସେନାମୁଖ୍ୟ ଅସୀମ ମୁନିର୍‌ଙ୍କ ଅଡ଼ୁଆ ବଢ଼ାଇ ଦେଇଛି । ଅପରେସନ ସିନ୍ଦୂରକୁ ନେଇ ସରିଫଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ଅସୀମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନର ସେନା ମେ ୧୦ ତାରିଖ ସକାଳେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା ଭାରତୀୟ ସେନା । ଏହାପରେ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା । ପାକିସ୍ତାନର ୧୧ଟି ଏୟାରବେସ୍ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ ପାକିସ୍ତାନ ଛାନିଆ ହୋଇ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା । 

ଭାରତର ଏୟାର୍‌ଷ୍ଟ୍ରାଇକ୍‌ ପରେ ପାକିସ୍ତାନକୁ ଲାଗିଥିବା ରାଜ୍ୟର ସୀମାବର୍ତ୍ତୀ ଗାଁଗୁଡ଼ିକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ । ଡ୍ରୋନ୍‌ ଆଟାକ୍‌ କରିବାକୁ ପ୍ରୟାସ କରିଥିଲା । ପ୍ରାୟ ୪୦୦ରୁ ୫୦୦ ଡ୍ରୋନ୍‌ ପାକିସ୍ତାନ ପଠାଇଥିବା ବେଳେ ଭାରତର ଏୟାରଡିଫେନ୍ସ ସିଷ୍ଟମ ଏହି ସବୁ ଡ୍ରୋନ୍‌ଗୁଡ଼ିକୁ ନଷ୍ଟ କରିଦେଇଥିଲା । ପାକିସ୍ତାନ ସୀମାକୁ ଲାଗିଥିବା ଗାଁଗୁଡ଼ିକରେ ବ୍ଲାକ୍‌ଆଉଟ୍‌ କରିବା ସହ ଯୁଦ୍ଧ ସାଇରନ ବଜାଇଥିଲା ସେନା । ଏହାର କାରଣ ଥିଲା ପାକିସ୍ତାନ ଡ୍ରୋନ୍‌ ଓ ମିସାଇଲ୍‌ । ପାଲଟା ଜବାବରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ପାକିସ୍ତାନ ।
 
ପାକିସ୍ତାନର ନୁର ଖାନ୍‌ ଏୟାରବେସ୍‌ ଉପରେ ଆକ୍ରମଣ କରିଥିଲା ଭାରତ । ଏହାକୁ ବି ସ୍ୱୀକାର କରିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ । ଏକ ସମାରୋହରେ ଯୋଗ ଦେଇ ସ୍ୱୀକାରୋକ୍ତି କରିଥିଲେ ସେହବାଜ ସରିଫ । ଏବେ ପ୍ରତିମାସରେ ସୀମାରେ ଭାରତୀୟ ସେନା ମକ୍‌ଡ୍ରିଲ୍‌ କରିବାକୁ ଘୋଷଣା କରିଛି ।