କନକ ବ୍ୟୁରୋ: ଆମେରିକାକୁ ପାକିସ୍ତାନର ଗୁହାରୀ । ନୂଆ ଓ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର କମ ଦାମରେ ଦେବାକୁ ଗୁହାରୀ କରିଛି ପାକିସ୍ତାନ । ଭାରତ ବିରୋଧରେ ବିଷ ଉଗାରିବାକୁ ଆମେରିକାରେ ପହଞ୍ଚିଛନ୍ତି ଶତ୍ରୁ ଦେଶର ପ୍ରତିନିଧିମଣ୍ଡଳୀ । ଟ୍ରମ୍ପ ପ୍ରଶାସନ ସହ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବାବଦରେ ଆଲୋଚନା କରିବା ସହ ଅଧିକ ସାମରିକ ସାହାଯ୍ୟ ପାଇଁ ହାତ ପତାଇଛି । ସେହବାଜ ସରିଫଙ୍କ ମନ୍ତ୍ରୀ ମୁସାଦିକ ମଲ୍ଲିକଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଭାରତର ଅପରେସନ ସିନ୍ଦୂରର ବାବଦରେ କହୁଥିବା ଦେଖିବାକୁ ମିଳିଛି । କିଭଳି ଭାରତ ୮୦ ଯୁଦ୍ଧ ବିମାନ ମିସାଇଲ ମାଡ କରି ପାକ୍ର ସାମରିକ ଘାଟିକୁ ଧ୍ବଂସ କରିଛି ସେନେଇ ମୁସାଦିକ ଆମେରିକା ଅଧିକାରୀଙ୍କ ଆଗରେ ତଥ୍ୟ ରଖିଛନ୍ତି । ଗୋଟିଏପଟେ ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣଭାବେ ଗ୍ରହଣ କରୁନି ଅନ୍ୟପଟେ ବିଶ୍ବ ଦରବାରରେ ସତ ମାନୁଛନ୍ତି ତାଙ୍କରି ମନ୍ତ୍ରୀ ।
ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ରାୱଲପିଣ୍ଡି ସମେତ ଅନେକ ସ୍ଥାନରେ ଭାରତୀୟ ସେନା ଧ୍ୱଂସଲୀଳା ରଚିଥିବା ସ୍ୱୀକାର କରିଥିଲେ ସେହବାଜ ସରିଫ । ବ୍ରହ୍ମୋସ ମିସାଇଲ ନିକ୍ଷେପ କରି ଭାରତ ପାକିସ୍ତାନର ଅନେକ ଏୟାରସ୍ପେସ୍ ନଷ୍ଟ କରିଦେଇଥିଲା । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଧ୍ୱଂସ ହୋଇଯାଇଥିଲା ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀ ।
ସେପଟେ ଭାରତର ଆକ୍ରମଣରେ ଭୟରେ ଥରଥର ପାକିସ୍ତାନର ଫୁଟାଣି କମ ହୋଇନି । ପାକିସ୍ତାନ ସୀମାର ପୁଣି ଭାରତକୁ ନାଲି ଦେଖାଇଛନ୍ତି ପାକିସ୍ତାନ ଫିଲ୍ଡ ମାର୍ସଲ ଆସୀମ ମୁନୀର । ସୈନିକଙ୍କ ମନୋବଳ ବଢ଼ାଇବା ସହ ସେନାକୁ ଭ୍ରମ ରଖି ଏଭଳି ଏକ ବୟାନ ଦେଇଛନ୍ତି, ଯାହା ଯେତିକ ଆଶ୍ଚର୍ଯ୍ୟଜନକ ଓ ହାସ୍ୟସ୍ପଦ । କାରଣ ଅସୀମ ଏକଥା କହି ନିଜ ସେନାର ମନୋବଳ ବଢ଼ାଇଛନ୍ତି ଯେ ଭାରତ ଉପରେ ପାକିସ୍ତାନ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ମୁହଁତୋଡ ଜବାବ ଦିଆଯାଇଛି । ଏଥିସହ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଉସୁକାଇବା ଭଳି ବୟାନ ଦେଇଛନ୍ତି ଆସୀମ ମୁନୀର । ଜମ୍ମୁକାଶ୍ମୀର ସମସ୍ୟା ସମାଧନ କେବଳ ଜମ୍ମୁକାଶ୍ମୀରବାସୀଙ୍କ ନିଷ୍ପତ୍ତି ଓ ମିଳିତ ଜାତିସଂଘର ପ୍ରସ୍ତାବ ଆଧାରରେ କରାଯିବା ଉଚିତ କହି କାଶ୍ମୀର ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି ।