କନକବ୍ୟୁରୋ : ମହିଳା କ୍ରିକେଟ୍‌ ବିଶ୍ବକପ୍‌-୨୦୨୫ରେ ଭାରତୀୟ ଟିମ୍‌ ନିଜର ଦ୍ବିତୀୟ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି । ଭାରତୀୟ ମହିଳା ଟିମ୍‌ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି ।  କଲମ୍ବୋ ସ୍ଥିତ ଆର ପ୍ରେମ୍‌ଦାସା ‌ଷ୍ଟାଡିୟମରେ ୨୪୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୪୩ ଓଭରରେ ସମସ୍ତ ୱିକେଟ୍‌ ହରାଇଛି । ପାକିସ୍ତାନ ଟିମ୍‌ ୧୫୯ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଛି ।  ବ୍ୟାଟିଂ ପରେ ଭାରତୀୟ ଟିମ୍‌ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛି। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

Advertisment

ସ୍ନେହ୍‌ ରାଣାଙ୍କୁ ୨ଟି ୱିକେଟ୍‌ ମିଳିଥିଲା। ପାକିସ୍ତାନ ପାଇଁ ସିଦ୍ରା ଅମିନ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୧ ରନ୍‌ ସଂଗ୍ରହ କରିଥିଲେ । ସେ ୧୦୬ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ  ।  ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୭ ରନ୍‌ ସଂଗ୍ରହ କରିଥିଲା । ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତ ବ୍ୟାଟିଂ କରିଥିଲା।ଭାରତୀୟ ଷ୍ଟାର କ୍ରିକେଟର ହର୍ଲିନ ଦେଓଲ ୬୫ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍‌ ସଂଗ୍ରହ କରିଥିଲେ । ହରମନପ୍ରୀତ କୌର ୧୯ ରନ୍‌, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍‌ ରାଣା ୨୦ ରନ୍‌ ଓ ରିଚା ଘୋଷ ଅପରାଜିତ ୩୫ ରନ୍‌ ସଂଗ୍ରହ କରିଥିଲେ ।