କନକ ବ୍ୟୁରୋ: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ସଂଘର୍ଷ । ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳିବର୍ଷା । ପାକିସ୍ତାନର ୫୮ ଜଣ ସୈନିକଙ୍କୁ ନିହତ କରିଥିବା ଦାବି କରିଛି ତାଲିବାନ । କାବୁଲ ଉପରେ ପାକ ମିଶାଇଲ ମାଡ କରିବା ପରେ କଡ଼ ଜବାବ ଦେଇଛି ଆଫଗାନିସ୍ତାନ ।
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ସୀମାରେ ସଂଘର୍ଷର ରୁପ ନେଇଛି । ଡ୍ରୋନ, ରକେଟ, ମୋର୍ଟାର ମାଡ ଓ ମଶିନ ଗନ ଗର୍ଜନରେ ଥରିଛି ସୀମାବର୍ତ୍ତି ଅଞ୍ଚଳ । ଶନିବାର ରାତିରେ ଡୁରାଣ୍ଡ ସୀମାରେ ଦୁଇ ସେନା ମଧ୍ୟରେ ଭୀଷଣ ଗୁଳି, ଗୋଳା ବିନିୟମ ହୋଇଛି । ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ପ୍ରଚଣ୍ଡ ଆକ୍ରମଣ କରିଛି ତାଲିବାନ । ପାକିସ୍ତାନର ମିଲିଟାରି ପୋଷ୍ଟ ଓ ଫ୍ରଣ୍ଟିୟର କର୍ପସ୍ ଉପରେ ବଡ଼ ଧରଣର ଆକ୍ରମଣ ହୋଇଛି । ଆଫଗାନିସ୍ତାନର ସାମରିକ ଅଭିଯାନକୁ ସ୍ପଷ୍ଟ କରିଛନ୍ତି ତାଲିବାନ ମୁଖପାତ୍ର, ଜବିହୁଲ୍ଲାହ ମୁଜାହିଦ ।
ପାକ୍ ନାଗରିକ ମଧ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିଛି । ପାକିସ୍ତାନକୁ ଚେତାବନୀ ଦେଇ ମଜାହିଦ କହିଛନ୍ତି, ଆଫଗାନିସ୍ତାନର ସାର୍ବଭୌମତ୍ୱ ସହ କେହି ଖେଳିବାକୁ ଚାହିଁଲେ ମୁହଁତୋଡ ଜବାବ ଦିଆଯିବ । ସେପେଟ ପାକିସ୍ତାନ ଗୃହମନ୍ତ୍ରୀ, ମହସିନ ନକଭି ପ୍ରତିକ୍ରିୟା ଦେଇ କହିଛନ୍ତି, ଇଟାର ଜବାବ ପଥରରେ ଦିଆଯିବ। ପାକିସ୍ତାନ ଚୁପ୍ ବସିବ ନାହିଁ, ଆଫଗାନିସ୍ତାନକୁ କଡ଼ା ଜବାବ ଦେବ । ପାକିସ୍ତାନ ଗୃହମନ୍ତ୍ରାଳୟ ବୟାନରୁ ସ୍ପଷ୍ଟ ହେଉଛି ତାଲିବାନଙ୍କ ଆକ୍ରମଣରେ ବିପୁଳ କ୍ଷତି ସହିଛି ପାକିସ୍ତାନ ସେନା ।
ଦୁଇ ଦିନ ତଳେ କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ଥିବା ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା। ଆଉ ଏୟାରଷ୍ଟ୍ରାଇକର ପ୍ରତିଶୋଧ ନେଇଛି ତାଲିବାନ ସେନା । ତାଲିବାନର ୨୦୧ ଖାଲିଦ ବିନ୍ ଵାଲିଦ ଆର୍ମି କର୍ପ୍ସ ଏହି ଆକ୍ରମଣର ଦାୟିତ୍ୱ ନେଇ ଏହାକୁ ଆଫଗାନିସ୍ତାନର ସାର୍ବଭୌମତ୍ୱ ରକ୍ଷା ପାଇଁ ପଦକ୍ଷେପ ବୋଲି ଦାବି କରିଛି ।