କନକ ବ୍ୟୁରୋ: ପହଲଗାମ୍ ଆଟାକ ପରେ ଏବେ ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । କେଉଁ ମୁହୂର୍ତ୍ତରେ ଭାରତ ଆଟାକ୍ କରିବା ତାକୁ ନେଇ ଚିନ୍ତାରେ ପାକ୍ ସେନା । ଭାରତ କୂଟନୈତିକ ଚାପରେ ଚେପା ହେବା ପରେ ପାକିସ୍ତାନକୁ ରାତିରେ ନିଦ ହେଉନି । ଭୟରେ ଏବେ ଅନ୍ୟ ଦେଶର ସାହାରା ଖୋଜୁଛି । ଯଦି ଭାରତ ଆକ୍ରମଣ କରେ ପରିଣାମ କଣ ହେବ ତାହା ଭଲ ଭାବେ ଜାଣିଛି ପାକିସ୍ତାନ । ତେବେ ଏହି ଭୟରେ ଆଗୁଆ ସଜାଗ ହେଉଛି ପାକିସ୍ତାନ । କାଳେ ଭାରତୀୟ ସେନା ରାତିରେ ଆଟାକ୍ କରିଦେବେ ସେଥିପାଇଁ ତାଙ୍କୁ ନିଦ ହେଉନି । ଆଉ ସାରା ରାତି ଉଜାଗର ରହି ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ।
ପହଲଗାମ ଆକ୍ରମଣ ପରେ ଗତ ୧୧ ଦିନ ଧରି ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ସେନାରୁ ମିଳିଥିବା ସୂଚନା ଅନୁସାରେ, ୪ ଆଉ ୫ ମେ ରାତିରେ ପାକିସ୍ତାନ ସେନା ଚେକ୍ ପୋଷ୍ଟରେ କାଶ୍ମୀରର କୁପଓ୍ୱାଡା, ବାରାମୁଲ୍ଲା, ପୁଞ୍ଛ, ରାଜୌରି, ମେଢର, ନୌସେରା, ସୁନ୍ଦରବନୀ ଓ ଅଖନୁରର ଆଖପାଖ ଅଞ୍ଚଳରେ ବିନା କାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ହେଲେ ଭାରତୀୟ ସେନା ଏବେ ଯାଏଁ ଏହାର ଜବାବ ଦେଇନି । କୁହାଯାଉଛି ପାକିସ୍ତାନ ଯେଉଁ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତାହା ଛୋଟ ହତିଆରରେ କରୁଛି । ତୋପ କିମ୍ୱା ବଡ଼ ହତିଆରରେ ପାକିସ୍ତାନ ଏହା କରୁନି । ତେଣୁ ଏଥିରୁ ସ୍ପଷ୍ଟ କି ଯୁଦ୍ଧ ଭୟରେ ପାକିସ୍ତାନ ଭାରତକୁ ନାଲି ଆଖି ଦେଖାଉଛି । କାଳେ ସର୍ଜିକାଲ ଷ୍ଟ୍ରାଇକ୍ ଭଳି କୌଣସି ବଡ ପଦକ୍ଷେପ ଭାରତ ଉଠାଇବ ତାହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ହେଲେ ଯଦି ଭାରତ ଏହାର ଜବାବ ଦେବ ତେବେ ପାକିସ୍ତାନ ମାଟିରେ ମିଶିଯିବ ।
ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ ଦେଇଚାଲିଛି । ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ଚିଠିପତ୍ର ଓ ପାର୍ସଲ ଆଦାନ-ପ୍ରଦାନ ବନ୍ଦ କରିଛି । ଯୋଗାଯୋଗ ମନ୍ତ୍ରାଳୟ ଅନୁଯାୟୀ, ଉଭୟ ଆକାଶ ଓ ସ୍ଥଳପଥରେ ପାର୍ସଲ ସେବା ବନ୍ଦ ରହିବ । ଭାରତ ସରକାର ପାକିସ୍ତାନୀ ଜାହାଜକୁ ଭାରତୀୟ ଜଳସୀମା ଓ ବନ୍ଦରଗୁଡ଼ିକରେ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ।
ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ କିଛି ଆତଙ୍କବାଦୀ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ହିନ୍ଦୁ ବୋଲି ପଚାରି ପଚାରି ଗୁଳି ମାରିଥିଲେ ଆତଙ୍କୀ । ଏହି ଘଟଣା ପରେ ଆତଙ୍କୀ ସ୍ଥାନ ଉପରେ କଠୋର ହୋଇଛନ୍ତି ଭାରତ ସରକାର । ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆତଙ୍କବାଦକୁ ପ୍ରଶୟ ଦେଉଥିବା ମାଟିକୁ ଧ୍ୱଂସ କରିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଆଉ ଏହାପରେ ପାକିସ୍ତାନ ଉପରେ ଆରମ୍ଭ ହୋଇଥିଲା କୂଟନୈତିକ ଚାପ । ବର୍ତ୍ତମାନ ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ । ହାଇ ଆର୍ଲଟରେ ବାୟୁସେନା । ତେବେ ଦେଖିବା ବାକି ରହିଲା ଆଗକୁ କଣ ରହୁଛି ଭାରତର ଆଭିମୁଖ୍ୟ ।