କନକ ବ୍ୟୁରୋ: ଭାରତ ସହିତ ମ୍ୟାଚ୍‌ରେ ହାତ ମିଳାଇବା ବିବାଦ ପରେ, ପାକିସ୍ତାନୀ ଦଳ ଏସିଆ କପ୍ 2025 ରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବଂ ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି) ଅଧ୍ୟକ୍ଷ ମୋହସିନ୍ ନକଭି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ନକଭି ପାଇକ୍ରଫ୍ଟଙ୍କ ଉପରେ ଆଇସିସିର ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ।

Advertisment

ମୋହସିନ ନକଭି ଏକ୍ସରେ ଲେଖିଛନ୍ତି, 'ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଅଭିଯୋଗ କରିଛି ଯେ ମ୍ୟାଚ୍ ରେଫରି ଆଇସିସି ଆଚରଣ ସଂହିତା ଏବଂ କ୍ରୀଡା ମନୋଭାବ ସହିତ ଜଡିତ ଆଇନ ଉଲ୍ଲଂଘନ କରିଛନ୍ତି । ପିସିବି ଏସିଆ କପରୁ ମ୍ୟାଚ୍ ରେଫରିଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ।'

୧୪ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପ୍ରତିପକ୍ଷ ଦଳର ଅଧିନାୟକ ସଲମାନ ଅଲି ଆଘାଙ୍କ ସହ ହାତ ମିଳାଇ ନଥିଲେ । ମ୍ୟାଚ୍‌ ପରେ ମଧ୍ୟ ଉଭୟ ଦଳର ଖେଳାଳିମାନେ ପରସ୍ପର ସହିତ ହାତ ମିଳାଇ ନଥିଲେ । ଭାରତୀୟ ଦଳ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ର ବିଶାଳ ବ୍ୟବଧାନରେ ଜିତିଥିଲା ।

ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଘା ଭାରତୀୟ ଖେଳାଳିମାନଙ୍କ ହାତ ନମିଳାଇବାରୁ ବିରକ୍ତ ହୋଇଥିଲେ ଏବଂ ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସେରିମୋନିକୁ ବର୍ଜନ କରିଥିଲେ । ସୋମବାର ଦିନ ପାକିସ୍ତାନୀ ଦଳ ଭାରତୀୟ ଦଳ ଏବଂ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ବିରୁଦ୍ଧରେ ଆଇସିସିରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବା ପରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡ଼ି ଯାଇଥିଲା । ଏହି ଅଭିଯୋଗ ପାକିସ୍ତାନୀ ଦଳର ପ୍ରବନ୍ଧକ ନାଭିଦ ଅଖତର ଚିମା ଦାଖଲ କରିଥିଲେ । ପାକିସ୍ତାନୀ ଦଳ ଅଭିଯୋଗ କରିଛି ଯେ ପାଇକ୍ରଫ୍ଟ ଟସ୍ ସମୟରେ ଦୁଇ ଦଳର ଅଧିନାୟକଙ୍କୁ ହାତ ମିଳାଇବାରୁ ବାରଣ କରିଥିଲେ ।