କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ଅଛନ୍ତି । ଜେଲ ଭିତରୁ ହିଁ ସେ ପାକିସ୍ତାନର କ୍ଷମତା ଏବଂ ଅନୁଷ୍ଠାନ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଭଉଣୀ ଅଲିମା ଖାନମ ଅଦିଆଲା ଜେଲରେ ଭାଇଙ୍କୁ ଭେଟିବାକୁ ଯାଇଥିଲେ ଏବଂ ବାହାରକୁ ଆସିବା ପରେ ସେ ଭାଇଙ୍କ ବାର୍ତ୍ତା ସମସ୍ତଙ୍କୁ କହିଛନ୍ତି । ଅଲିମାଙ୍କ ଅନୁସାରେ, ଇମ୍ରାନ ଖାନ ପାକିସ୍ତାନ ଆର୍ମି ଚିଫ୍ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଏବଂ ତାଙ୍କୁ ପୂର୍ବ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ମୋହସିନ ନକଭିଙ୍କ ସହ ତୁଳନା କରିଛନ୍ତି । ଇମ୍ରାନ କହିଛନ୍ତି- ‘ଯେଉଁଭଳି ଭାବରେ ମୋହସିନ ନକଭି ପାକିସ୍ତାନ କ୍ରିକେଟକୁ ଧ୍ୱଂସ କରିଦେଇଛନ୍ତି, ସେହିଭଳି ଅସୀମ ମୁନିର ପାକିସ୍ତାନକୁ ବର୍ବାଦ କରୁଛନ୍ତି ।’ ଅଲିମା କହିଛନ୍ତି ଯେ ତାଙ୍କ ଭାଇ ଜେଲରେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି । ଏକାକୀ ରଖାଯିବା ସତ୍ତ୍ୱେ ଇମ୍ରାନଙ୍କ ମନୋବଳ ଭାଙ୍ଗି ନାହିଁ । ସେ ସ୍ପଷ୍ଟ ଭାବରେ କହିଛନ୍ତି- ‘ମୋତେ ଏକୁଟିଆ ବନ୍ଦ କୋଠରୀ ଭିତରେ ରଖିଲେ ବି ମୁଁ ନଇଁବି ନାହିଁ ।’
/filters:format(webp)/kanak/media/media_files/2025/08/27/munir-2025-08-27-11-50-01.jpg)
ଅସୀମ ମୁନିରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଇମ୍ରାନ । ଅଲିମାଙ୍କ ଅନୁସାରେ ଜେଲରୁ ଇମ୍ରାନ ଖାନ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ‘ଅସୀମ ମୁନିର ପାକିସ୍ତାନକୁ ସେହିଭଳି ବର୍ବାଦ କରୁଛନ୍ତି ଯେମିତି ମୋହସିନ ନକଭି କ୍ରିକେଟକୁ କରିଥିଲେ । ପାକିସ୍ତାନରେ ଆଇନ ଏବଂ ନ୍ୟାୟ ବଞ୍ଚିନାହିଁ ।’ ଅଲିମା ଦାବି କରିଛନ୍ତି ଯେ ଇମ୍ରାନ ପାକିସ୍ତାନର ବର୍ତ୍ତମାନର ସ୍ଥିତିକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ସେ କହିଛନ୍ତି- ‘ପାକିସ୍ତାନରେ ଏବେ ଆଇନର ଶାସନ ନାହିଁ । ମିଡିଆଠାରୁ ଆରମ୍ଭ କରି ଅଦାଲତ ସମସ୍ତ ଅନୁଷ୍ଠାନ ସହମତି କରିସାରିଛନ୍ତି ।’ ଇମ୍ରାନ ଖାନଙ୍କ କହିବା ହେଉଛି କି ନା ନ୍ୟାୟ ବଞ୍ଚିଛି, ନା ଲୋକଙ୍କ ମୌଳିକ ଅଧିକାର ସୁରକ୍ଷିତ ଅଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରୁ ସେନା ପ୍ରମୁଖ ଅସୀମ ମୁନିରଙ୍କୁ ଖୋଲା ଆହ୍ୱାନ ଦେଇ କହିଛନ୍ତି ଯେ ତାଙ୍କ ଉପରେ ଏବଂ ତାଙ୍କ ପରିବାର ଉପରେ ଯେତେ ବି ‘ଅତ୍ୟାଚାର’ କରାଗଲେ ମଧ୍ୟ ତାଙ୍କ ମନୋବଳ ଭାଙ୍ଗିବ ନାହିଁ ।
/filters:format(webp)/kanak/media/media_files/2025/08/27/asim-imran-2025-08-27-11-50-34.jpg)
ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଏବଂ ବରିଷ୍ଠ ଜେଲ ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଖାନଙ୍କ କହିବା ହେଉଛି ଯେ ତାଙ୍କୁ ଜେଲରେ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଛି । ୭୨ ବର୍ଷୀୟ ଇମ୍ରାନ ଅଗଷ୍ଟ ୨୦୨୩ ରୁ ରାୱଲପିଣ୍ଡିର ଅଡିଆଲା ଜେଲରେ ବନ୍ଦୀ ଅଛନ୍ତି ଏବଂ ତାଙ୍କ ଉପରେ ଅନେକ ମାମଲା ଚାଲିଛି । ନିଜ ଅଭିଯୋଗରେ ଖାନ ଲେଖିଛନ୍ତି ଯେ ମରିୟମ ନୱାଜଙ୍କ କଥାରେ ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରାଯାଉଛି ।