କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ହକି ଦଳ ଘୋର ହଟହଟାର ସମ୍ମୁଖୀନ ହୋଇଛି । ଆର୍ଥିକ ସଙ୍କଟ ତଥା ପାକିସ୍ତାନ ହକି ମହାସଂଘ (ପିଏଚ୍ଏଫ୍)ର ଅଯୋଗ୍ୟ ପଣିଆ ପାଇଁ ଏହି ଦେଶର ଖେଳାଳିମାନେ ଘଣ୍ଟା ଘଣ୍ଟା ବିମାନ ବନ୍ଦରରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି । ସେହିଭଳି ହୋଟେଲ ରୁମ୍ ବୁକ୍ ହୋଇ ନଥିବାରୁ କାନବେରାର ରାସ୍ତା କଡ଼ରେ ପାଖାପାଖି ଗୋଟିଏ ଓଳି ଅନାଥଙ୍କ ଭଳି ବସି ରହିଛନ୍ତି । ଭୋକ ଉପାସରେ ରହି ମ୍ୟାଚ୍ ଖେଳିବା ସହ ବାସନ ମାଜିବା, ରୋଷେଇ ଶାଳ ସଫା କରିବାକୁ ବି ପଡ଼ିଛି ସେମାନଙ୍କୁ । ଏହି ଘଟଣା ଏବେ ହକି ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି । ପିଏଚ୍ଏଫ୍ ଅଧିକାରୀଙ୍କ ଏଭଳି ଆଚରଣକୁ କ୍ରୀଡ଼ାପ୍ରେମୀମାନେ ଛି ଛାକର କରୁଛନ୍ତି ।ସୂଚନା ଅନୁସାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ହକି ଦଳ କିଛି ଦିନ ତଳେ ଲାହୋରରୁ ସିଡ୍ନିରେ ପହଞ୍ଚିଥିଲା । ଖେଳାଳିମାନେ ସିଡ୍ନି ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ କେହି ବାସିରେ ପଚାରି ନଥିଲେ । ଖାଇବା ବ୍ୟବସ୍ଥା ବି ହୋଇ ନଥିଲା ।
ଏହା ବି ପଢ଼ନ୍ତୁ: ପୁଣି ଓଡ଼ିଶା ଏଫସିର ଘରୋଇ ପଡ଼ିଆ ହେଲା କଳିଙ୍ଗ ଷ୍ଟାଡିୟମ୍
ସିଡ୍ନିରୁ କାନବେରା ଯିବା ପୂର୍ବରୁ ସେମାନଙ୍କୁ ବିମାନ ବନ୍ଦରରେ ୧୩ରୁ ୧୪ ଘଣ୍ଟା କାଳ ଭୋକ ଉପାସରେ ବସିବାକୁ ପଡ଼ିଥିଲା । କାରଣ ପିଏଚ୍ଏଫ୍ ଏଥିଲାଗି କୌଣସି ଆର୍ଥିକ ସହାୟତା କରି ନଥିଲା । କାନବେରା ପହଞ୍ଚି ପିଏଚ୍ଏଫ୍ କହିଥିବା ହୋଟେଲକୁ ଯିବା ବେଳକୁ ହୋଟେଲ କତ୍ତୃପକ୍ଷ ସେମାନଙ୍କ ନାଁରେ କୌଣସି ବୁକିଂ ନାହିଁ ବୋଲି କହିଥିଲେ । ଖେଳାଳିମାନେ ଅସହାୟ ହୋଇ ରାସ୍ତା କଡ଼ରେ ବସିଥିଲା ବେଳେ କିଛି ପ୍ରବାସୀ ପାକିସ୍ତାନୀ ଓ ଅଷ୍ଟ୍ରେଲିଆ ହକି ସଂଘର ଅଧିକାରୀଙ୍କ ପ୍ରୟାସ ପାଇଁ ଶେଷରେ ହୋଟେଲ ରୁମ୍ ମିଳିଥିଲା । ଗସ୍ତ ୧୩ ଦିନର ଥିଲା ବେଳେ ପିଏଚ୍ଏଫ୍ ମାତ୍ର ୧୦ ଦିନର ହୋଟେଲ ବୁକିଂ କରିଥିଲା । ଖେଳାଳିଙ୍କ ଖାଇବା ପିଇବାର କୌଣସି ବ୍ୟବସ୍ଥା ମଧ୍ୟ କରି ନଥିଲା । ଏଣୁ ବୁଧବାର ସକାଳେ ଲାହୋର ଫେରିବା ପରେ ପାକିସ୍ତାନ ହକି ଦଳର ଅଧିନାୟକ ସକିଲ ଅହମ୍ମଦ ନିଜ ଦେଶର ହକି ମହାସଂଘକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । କ୍ଷୋଭର ସହ କହିଛନ୍ତି, ସବୁ ମ୍ୟାଚ୍ ପୂର୍ବରୁ ଆମକୁ ନିଜ ବାସନ ନିଜକୁ ମାଜିବାକୁ ପଡ଼ୁଥିଲା । ରୋଷେଇ ଶାଳ ସଫା କରିବାକୁ ହେଉଥିଲା ।
ହୋଟେଲରେ ଯେତିକି ଦିନ ରୁମ୍ ବୁକ୍ ହେବା କଥା ହୋଇ ନଥିଲା । ଆମକୁ ବହୁ ସମୟ ଅଷ୍ଟ୍ରେଲିଆ ରାଜରାସ୍ତାରେ ଏତେତେଣେ ବୁଲିବାକୁ ପଡ଼ିଥିଲା । ଏସବୁ ଅତ୍ୟନ୍ତ ଲଜ୍ଜାଜନକ କଥା । ଏଭଳି ଘୋର ଅବ୍ୟବସ୍ଥା ପାଇଁ ପିଏଚ୍ଏଫ୍ ଆମକୁ କ୍ଷମା ମାଗିବା ଉଚିତ । ଏମିତି ସ୍ଥିତିରେ ଖେଳିଲେ ମ୍ୟାଚ୍ କେମିିତି ଜିତିବୁ ଆପଣମାନେ କୁହନ୍ତୁ । ପାକିସ୍ତାନ ମଧ୍ୟ ଏହି ଗସ୍ତର ସମସ୍ତ ମ୍ୟାଚ୍କୁ ଏକତରଫା ଭାବେ ହାରିଥିଲା । ଏସବୁ ଅସୁବିଧା ଓ ଲଜ୍ଜାକର ପରିସ୍ଥିତି ଲାଗି ପିଏଚ୍ଏଫ୍କୁ ଦାୟୀ କରିଛି ପାକିସ୍ତାନ କ୍ରୀଡ଼ା ବୋର୍ଡ । ପିଏଚ୍ଏଫ୍କୁ ଖେଳାଳିଙ୍କ ରହିବା, ଖାଇବା ଓ ଯାତାୟାତ ଲାଗି ୧ କୋଟି ଟଙ୍କା (ପାକିସ୍ତାନୀ) ଦିଆଯାଇଛି । ଏହା ସତ୍ତ୍ବେ ଏଭଳି ସ୍ଥିତି କେମିତି ଉପୁଜିତିଲା ତା’ର ତଦନ୍ତ ହେବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ଖେଳାଳିମାନେ କିନ୍ତୁ ପରୋକ୍ଷରେ ଅଧିକାରୀଙ୍କ ବିରୋଧରେ ଅର୍ଥ ହଡ଼ପର ଅଭିଯୋଗ ଆଣିଛନ୍ତି ।
Follow Us