କନକ ବ୍ୟୁରୋ: ପହଲଗାମ ଆଟାକ୍ ପରେ ପାକିସ୍ତାନକୁ ପାନେ ଦେଇଛି ଭାରତ । ଡ୍ୟାମରେ ପାଣି ରଖିବା ସହିତ ଏବେ ପାକିସ୍ତାନକୁ ଶୋଷରେ ମାରୁଛି ମୋଦୀ ସରକାର । ଆଉ ଏହାରି ଭିତରେ ପାକିସ୍ତାନର ଜେନେରାଲ୍ ଭାରତକୁ ଦେଇଛନ୍ତି ଖୋଲା ଧମକ । ଭାରତ ଯଦି ପାକସ୍ତାନର ପାଣି ବନ୍ଦ କରିବ, ତେବେ ପାକିସ୍ତାନ ଭାରତର ନିଃଶ୍ୱାସକୁ ବନ୍ଦ କରିବ ବୋଲି ଧମକ ଦେଇଛନ୍ତି ପାକିସ୍ତାନର ଲେଫ୍ଟନାଣ୍ଟ୍ ଜେନେରାଲ୍ ।
ପାକିସ୍ତାନର ସୈନ୍ୟ ପ୍ରବକ୍ତା ଥିବା ଲେଫ୍ଟନାଣ୍ଟ୍ ଜେନେରାଲ୍ ଅହମ୍ମଦ ସରିଫ ଚୌଧୁରୀ ଭାରତ ବିଷୟରେ ବିଷ ଓଗାଳିବା ସହିତ ଆତଙ୍କବାଦୀ ହାଫିଜ ସଇଦର କଥା କହିଛନ୍ତି । ଭାରତ ବିଷୟରେ ଉତ୍ତେଜନାମୂଳକ ଭାଷଣ ଦେଇ ପାକିସ୍ତାନର ଏ ଲେଫ୍ଟନାଣ୍ଟ୍ ଜେନେରାଲ୍ କହିଛନ୍ତି, ଭାରତ ଯଦି ପାକିସ୍ତାନର ପାଣିକୁ ବନ୍ଦ କରେ, ତେବେ ପାକିସ୍ତାନ ମଧ୍ୟ ଭାରତର ନିଃଶ୍ୱାସ ବନ୍ଦ କରିଦେବ ।
ଜାଣିରଖିବା ଉଚିତ ଯେ, ପହଲଗାମ ଆଟାକ୍ ପରେ ଏୟାରଷ୍ଟ୍ରାଇକ୍ କରିବା ସହିତ, ପାକିସ୍ତାନ ଉପରେ ଓ୍ୱାଟର୍ ଷ୍ଟ୍ରାଇକ୍ କରିଥିଲା ଭାରତ । ଯେଉଁଥିରେ ଭାରତରୁ ପାକିସ୍ତାନକୁ ଯାଉଥିବା ଜଳକୁ ରୋକି ଦେଇଥିଲା ମୋଦୀ ସରକାର । ଏହାପରେ ମୋଦୀ ମଧ୍ୟ ଖୋଲା ମଞ୍ଚରେ କହିଥିଲେ ଯେ, ପାଣି ଆଉ ରକ୍ତ ଏକା ସାଙ୍ଗରେ ବୋହି ପାରିବନି । ଭାରତ ପାକିସ୍ତାନକୁ ସେତେବେଳେ ଜଳ ଛାଡ଼ିବ, ଯେତେବେଳେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବନି ଆଉ ତା’ ପରଠାରୁ ଶୋଷରେ କଲବଲ ହେଉଛି ଶତ୍ରୁରାଷ୍ଟ୍ର ପାକିସ୍ତାନ । ଯାହାକୁ ନେଇ ପାକିସ୍ତାନର ଏ ଜେନେରାଲ୍ ଏମିତି ଭାଷଣ ଦେଇ ଭାରତକୁ ଉସୁକାଇଛନ୍ତି ।
ପହଲଗାମ ଆଟାକ୍ ପରେ ମେ ୭ ତାରିଖରେ ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ପାକିସ୍ତାନ ଭିତରେ ପଶି, ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତର ବୀର ସୈନିକ । ଭାରତର ଏହି ଆକ୍ରମଣ ହାଫିଜ ସଇଦର କିଛି ପରିବାର ସଦସ୍ୟ ମଧ୍ୟ ପ୍ରାଣ ହରାଇଥିଲେ । ଯାହାପରେ ଏବେ ହାଫିଜ ସଇଦର ଭାଷାରେ କଥା ହେଉଛି ପାକିସ୍ତାନ ।
ଭାରତ ଉପରେ ପାକିସ୍ତାନର ଆକ୍ରମଣ ଯୋଜନା ପଣ୍ଡ ହେଇସାରିଛି । ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ଡ୍ରୋନକୁ ଆକାଶରେ ହିଁ ମାରି ଖସାଇ ଦେଇଛି ଭାରତର ସୁରକ୍ଷା ବଳ । ଏମିତି କି, ପାକିସ୍ତାନର ଏୟାରବେସକୁ ଧ୍ୱଂସ କଲା ପରେ ବି, ଭାରତର ଟିକିଏ କି କ୍ଷତି କରିପାରିନି ପାକିସ୍ତାନ । ଆଉ ଏହାପରେ, ଏବେ ପାକିସ୍ତାନର ଜେନେରାଲ୍ ଭାରତକୁ ଦେଇଛନ୍ତି ନିଃଶ୍ୱାସ ବନ୍ଦ କରିଦେବାର ଧମକ ।