କନକ ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଗିରଫ କରାଯାଉ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ବିବାଦୀୟ ବୟାନ ଦେଇ କହିଛନ୍ତି। ଏକ ଟିଭି ସାକ୍ଷାତକାରରେ ଆସିଫ କହିଛନ୍ତି, ତୁର୍କୀ ନେତାନ୍ୟାହୁଙ୍କୁ ଗିରଫ କରିପାରେ । ନେତାନ୍ୟାହୁଙ୍କୁ ତୁର୍କୀ ଗିରଫ କରୁ ବୋଲି ପାକିସ୍ତାନର ଲୋକମାନେ ପ୍ରାର୍ଥନା କରୁଥିବା ସେ କହିଛନ୍ତି । ଆସିଫ ଆହୁରି ମଧ୍ୟ କହିଛନ୍ତି ଯେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଯେପରି ଅଟକ ରଖାଯାଇଥିଲା ସେହିପରି ଆମେରିକା ନେତାନ୍ୟାହୁଙ୍କୁ ମଧ୍ୟ ଅଟକ ରଖିବା ଉଚିତ । ଆସିଫ୍ ନେତାନ୍ୟାହୁଙ୍କୁ ମାନବତା ବିରୋଧରେ ଜଣେ ବଡ଼ ଅପରାଧୀ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଗାଜାରେ ପାଲେଷ୍ଟାଇନ ଲୋକମାନଙ୍କ ବିରୋଧରେ ଏବେ ଦେଖାଯାଇଥିବା ହିଂସା ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନଥିଲା । ଆସିଫ ପାକିସ୍ତାନୀ ନ୍ୟୁଜ ଚାନେଲକୁ ଦେଇଥିବା ସାକ୍ଷାତକାରର ଏକ ଭିଡିଓ କ୍ଲିପ୍ ଏବେ ଅନଲାଇନରେ ସେୟାର ହେଉଛି । ଆଲୋଚନାବେଳେ ଉପସ୍ଥାପକ ହମିର ମୀର କହିଥିଲେ, ଏହି ମନ୍ତବ୍ୟ ଖୁବ୍ ସମ୍ବେଦନଶୀଳ ।
ଆସିଫ୍ ପଚାରିଥିଲେ ଏପରି ଅପରାଧୀଙ୍କୁ କେଉଁମାନେ ସମର୍ଥନ କରୁଛନ୍ତି। ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କ ପାଇଁ ଆଇନ କ’ଣ କହୁଛି । ହମିଦ ମୀର ଆସିଫଙ୍କୁ ଏହା ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇଙ୍ଗିତ କରି କହୁନାହାନ୍ତି ତ ବୋଲି ପଚାରିଥିଲେ । ପାକିସ୍ତାନର ଇସ୍ରାଏଲ ସହିତ କୌଣସି କୂଟନୈତିକ ସମ୍ପର୍କ ନଥିବାବେଳେ ସର୍ବଦା ପାଲେଷ୍ଟାଇନକୁ ସମର୍ଥନ କରିଆସୁଛି । ପାକିସ୍ତାନର ଇରାନ ସହିତ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି, ଯିଏକି ଇସ୍ରାଏଲର ଦୃଢ଼ ବିରୋଧୀ । ସାକ୍ଷାତକାରରେ ଆସିଫ ଆହୁରି କହିଥିଲେ ଯେ, ଗାଜା ଅପରାଧ ନେଇ ଆନ୍ତର୍ଜାତିକ କ୍ରିମିନାଲ କୋର୍ଟ (ଆଇସିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରୁ ।
Follow Us