Pakistan Cricket Photograph: (KanakNews)
କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ମ୍ୟାଚରେ ଭାରତଠାରୁ ୬୧ ରନର ପରାଜୟ ପରେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି । ପାକିସ୍ତାନର ଅନେକ ପୂର୍ବତନ ଖେଳାଳି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ରବିବାର ରାତିରେ କଲମ୍ବୋରେ ଖେଳାଯାଇଥିବା ଏକପାଖିଆ ମ୍ୟାଚ୍ରେ ପୂର୍ବତନ ଅଧିନାୟକ ବାବର, ଶାଦାବ ଖାନ ଏବଂ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ଫ୍ୟାନ୍ସଙ୍କ ଆଶା ପୂରଣ କରିପାରି ନଥିଲେ । ଭାରତର ଯୁବ ଓପନର ଇଶାନ କିଶାନ ୪୦ ବଲ୍ରେ ୭୭ ରନ୍ କରି ପାକିସ୍ତାନୀ କ୍ରିକେଟରଙ୍କୁ କଡ଼ା ଟକ୍କର ଦେଇଥିଲେ । ଅନ୍ୟପକ୍ଷରେ ଭାରତର ଦ୍ରୁତ ବୋଲର ଏବଂ ସ୍ପିନରଙ୍କ ଆଗରେ ପାକିସ୍ତାନ ବ୍ୟାଟ୍ସମାନଙ୍କ ବ୍ୟାଟ୍ ଯେମିତି କାମ କଲାନି । ପାକିସ୍ତାନର ଅତି ଶୋଚନୀୟ ପରାଜୟ ପରେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କହିଥିଲେ ଯେ ‘‘ଯଦି ଏହା ମୋ ଉପରେ ଥାଆନ୍ତା, ତେବେ ମୁଁ ବାବର, ଶାଦାବ ଏବଂ ଶାହିନଙ୍କୁ ପୁଣି ଥରେ ଟି-୨୦ ଦଳରେ ଚୟନ କରିନଥା’ନ୍ତି । ପାକିସ୍ତାନ ପାଇଁ ଭଲ ପ୍ରଦର୍ଶନ କରିବାର ସେମାନଙ୍କୁ ଅନେକ ସୁଯୋଗ ମିଳିଛି କିନ୍ତୁ ଗତକାଲି ସେମାନେ ପୁଣି ଥରେ ବିଫଳ ହୋଇଛନ୍ତି । ଏବେ ଟି-୨୦ ଫର୍ମାଟରେ ଯୁବ ଖେଳାଳିଙ୍କୁ ବିକଶିତ କରିବାର ସମୟ ଆସିଛି।’’ ତେବେ ମ୍ୟାଚରେ ଶାହିନ୍ ଦୁଇ ଓଭରରେ ୩୧ ରନ୍ ଦେଇଥିଲେ ଏବଂ ବାବରଙ୍କୁ ଅକ୍ଷର ପଟେଲ ୫ ରନ୍ ଦେଇ ଆଉଟ୍ କରିଥିଲେ ।
ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ ପରାଜୟ ବିଷୟରେ ବିସ୍ତୃତ ଭାବରେ କହିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ସ୍ୱୀକାର କରିଥିଲେ ଯେ ପାକିସ୍ତାନ କ୍ରିକେଟ୍ ଦଳ ଚାପ ତଳେ ରହି ପରିସ୍ଥିତିକୁ ସାମ୍ନା କରିବାରେ ବିଫଳ ହୋଇଥିଲା । ସେ କହିଥିଲେ "ଭାଇ ବଡ଼ ମ୍ୟାଚ୍ରେ ଖେଳାଳିମାନଙ୍କୁ ସେମାନଙ୍କର ଚରିତ୍ର ଦେଖାଇବାକୁ ପଡ଼ିଥାଏ । ଆମର ଖେଳାଳିମାନେ ତାହା କରିବାରେ ବିଫଳ ହୋଇଥିଲେ ।’’ ତେବେ ବାବରଙ୍କୁ କ୍ରମାଗତ ଭାବରେ ସମର୍ଥନ କରିଆସୁଥିବା ଆଉ ଜଣେ ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ ମଧ୍ୟ କହିଛନ୍ତି ଯେ ଏହି ପରାଜୟ ପରେ ବାବର ଏବଂ ଶାହିନଙ୍କ ଟି-୨୦ କ୍ୟାରିୟର ଶେଷ ହେବା ଦରକାର । ୟୁସୁଫ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ, "ଶାହିନ, ବାବର ଏବଂ ଶାଦାବଙ୍କ କ୍ୟାରିୟର କମିବାରେ ଲାଗିଛି । ପାକିସ୍ତାନର ଟି-୨୦ ଦଳକୁ ଦୁର୍ବଳ ଦଳ ବିପକ୍ଷରେ ଫମ୍ପା ବିଜୟ ନୁହେଁ ବରଂ ନୂଆ ଖେଳାଳି ଆବଶ୍ୟକ ।" ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ବାବରଙ୍କ ସୁପରଷ୍ଟାର ମାନ୍ୟତାକୁ ପରିହାସ କରିଛନ୍ତି ।
ସେ କହିଛନ୍ତି ‘‘ପ୍ରଶଂସକ ଜଣେ ଖେଳାଳିଙ୍କୁ ସୁପରଷ୍ଟାର କରିଛନ୍ତି କିନ୍ତୁ ସେ ସୁପରଷ୍ଟାର୍ ଗୋଟିଏ ବି ମ୍ୟାଚ୍ ଜିତାଇ ପାରୁନି । ଗତ ୨୦ ବର୍ଷ ଭିତରେ ବାବରଙ୍କ ଭିତରେ କୌଣସି ଉନ୍ନତି ହୋଇନି । କେବେ ଭାରତକୁ ପାକିସ୍ତାନ କଡ଼ା ଚ୍ୟାଲେଞ୍ଜ ଦେଉଥିବା ବେଳେ ଆଜିର ସମୟରେ ଭାରତକୁ ପରାସ୍ତ କରିବାର ସ୍ବପ୍ନ ମଧ୍ୟ ଆମେ ଦେଖିପାରୁନାହୁଁ ।’’ ତେବେ ଏହି ଶୋଚନୀୟ ପରାଜୟ ପରେ ବାବର ଆଜମ୍ , ଶାହିଦ୍ ଆଫ୍ରିଦିଙ୍କ ଜ୍ବାଇଁ ତଥା କ୍ରିକେଟର୍ ଶାହିନ୍ ଆଫ୍ରିଦି ଏବଂ ଶଦାବ୍ ଖାନଙ୍କୁ Playing 11 ରୁ ବାହାର କରିବା ପାଇଁ ଦାବି ଜୋର୍ ଧରୁଛି ।
Follow Us