କନକ ବ୍ୟୁରୋ: ପାକିସ୍ତାନ ଏବଂ ଚୀନ୍ ସବୁବେଳେ ଯୁଗଳବନ୍ଦୀ ହୋଇ ଭାରତ ବିରୋଧରେ ଷଡଯନ୍ତ୍ର ରଚିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଭାରତ ବିରୋଧରେ କିଛି ନା କିଛି କାର୍ଯ୍ୟକଳାପ ରଚିବାକୁ ଯୋଜନାରେ ଲିପ୍ତ ଥାନ୍ତି ଏହି ଦୁଇ ଦେଶ । ତେବେ ଏବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ୍ ନିର୍ଦ୍ଦେଶରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଜାମ୍ମୁ କାଶ୍ମୀରର ଚେନାବ ବ୍ରିଜ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ରିପୋର୍ଟ ଅନୁସାରେ, ଚେନାବ ବ୍ରିଜ୍ ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପାକ୍ ଏବଂ ଚୀନର ଗୁପ୍ତଚର ସଂସ୍ଥା ଦ୍ୱାରା ଏକତ୍ର କରାଯାଇଛି ।
ସୂଚନା ମୁତାବକ, ରିୟାସୀ ଏବଂ ରାମବଣ ଜିଲ୍ଲାକୁ ସଂଯୋଗ କରିଥାଏ ଚେନାବ ବ୍ରିଜ୍ । ଏହାକୁ ବିଶ୍ୱର ସବୁଠାରୁ ଉଚ୍ଚ ରେଲୱ ବ୍ରିଜ୍ ମଧ୍ୟ କୁହାଯାଇଥାଏ ।
କାର୍ହିକି ସ୍ୱତନ୍ତ୍ର ଚେନାବ ବ୍ରିଜ?
ଏହି ବ୍ରିଜର ନିର୍ମାଣ ଚେନାବ ନଦୀ ଉପରେ କରାଯାଇଛି । ଏହାର ଉଚ୍ଚତା ପାଖାପାଖି ୩୫୯ ମିଟର ହେବ । ଏହା ପ୍ୟାରିସର ପ୍ରସିଦ୍ଧ ଆଇଫିଲ୍ ଟାୱାର ଠାରୁ ମଧ୍ୟ ଉଚ୍ଚ ଅଟେ । ତେବେ ବର୍ତ୍ତମାନ ସମୟରେ କାଶ୍ମୀରକୁ ଦେଶ ସହ ଯୋଡୁଥିବା ଅନେକ ରାସ୍ତା ଶୀତ ଦିନେ ବିଚ୍ଛିନ୍ନ ହୋଇଯାଇଥାଏ । ଏହି ସମୟରେ ଚେନାବ ବ୍ରିଜ ବହୁତ ସହାୟକ ହେବ ବୋଲି କୁହାଯାଉଛି । ଏହି ବ୍ରିଜର ଷ୍ଟ୍ରକଚର ଷ୍ଟିଲରେ ନିର୍ମାଣ କରାଯାଇଛି । ମାଇନସ୍ ୧୦ ଡିଗ୍ରୀ ସେଲସିୟସରୁ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସମ୍ଭାଳିପାରିବାର କ୍ଷମତା ରଖୁଛି ଚେନାବ ବ୍ରିଜ୍ । ଅର୍ଥାତ୍ ଜାମ୍ମୁକାଶ୍ମୀରର ପରିବେଶ ଏହା ଉପରେ କିଛି ବି ପ୍ରଭାବ ପକାଇପାରିବ ନାହିଁ । ଏଥିସହିତ ଭୂକମ୍ପ ଏବଂ ବ୍ଲାଷ୍ଟକୁ ସହ୍ୟ କରିବାର କ୍ଷମତା ରଖୁଛି ଏହି ବ୍ରିଜ୍ ।
ଜୁନରେ ହୋଇଥିଲା ଚେନାବ ବ୍ରିଜର ଟ୍ରାଏଲ
ବିିଶ୍ୱର ସବୁଠାରୁ ଉଚ୍ଚତମ ବ୍ରିଜ୍ ଭାବେ ଚଳିତ ବର୍ଷ ୨୦ ଜୁନରେ ଟ୍ରେନର ଟ୍ରାଏଲ କରାଯାଇଥିଲା । ତେବେ ଏହି ପ୍ରୋଜେକ୍ଟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା କୁହାଯାଉଛି । ଏହି ବ୍ରିଜର ସୁରକ୍ଷା ଏବଂ ଦେଶ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ରେଲୱ ବ୍ରିଜ ଦ୍ୱାରା ଭାରତ ପାଖାପାଖି ସମସ୍ତ ରାଜ୍ୟକୁ ଜାମ୍ମୁ କାଶ୍ମୀର ସହ ଯୋଡିପାରିବ । ଚୀନର ଇଣ୍ଟେଲିଜେନ୍ସ ଏଜେନ୍ସି ସହ ପାକିସ୍ତାନରର ଗୁଇନ୍ଦା ସଂସ୍ଥାର ନାମ ସାମ୍ନାକୁ ଆସିଲା ପରେ ଚେନାବ ବ୍ରିଜକୁ ନେଇ ମାମଲା ଗମ୍ଭୀର ହୋଇଛି ।