କନକ ବ୍ୟୁରୋ: ଥରେ ସାପକୁ ବିଶ୍ୱାସ କରିହେବ କିନ୍ତୁ ପାକିସ୍ତାନକୁ ନୁହେଁ...ଅନେକ ସମୟରେ ପାକିସ୍ତାନ ପାଇଁ ଏହି କଥା କୁହାଯାଏ, କିନ୍ତୁ ବୋଧହୁଏ ବାଂଲାଦେଶକୁ ଏହି କଥା ଜଣା ନଥିଲା । ଟି-୨୦ ବିଶ୍ୱକପରେ ବାଂଲାଦେଶ ସହ ଛିଡ଼ା ହେବାର ଦାବି କରୁଥିବା ପାକିସ୍ତାନ ଏବେ ନିଜ କଥାରୁ ଓହରି ଯାଇଛି । ପାକିସ୍ତାନ କ୍ରିକେଟ ବୋର୍ଡ କହୁଥିଲା ଯେ ଯଦି ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାହାର ହୁଏ, ତେବେ ସେମାନେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟକୁ ବୟକଟ୍ କରିବେ । କିନ୍ତୁ ଏବେ ଯେତେବେଳେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର ନକରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନୀ ଗଣମାଧ୍ୟମର ଖବର ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟରୁ ହଟିବା ବିଷୟରେ ଚିନ୍ତା କରୁନାହିଁ।
ପାକିସ୍ତାନ ବାଂଲାଦେଶର ଆଭିମୁଖ୍ୟକୁ ସମର୍ଥନ ତ କଲା, କିନ୍ତୁ ପିସିବି ଅଧିକାରୀମାନଙ୍କ ମତରେ ଟୁର୍ଣ୍ଣାମେଣ୍ଟ ବୟକଟ୍ କରିବାର କୌଣସି ଠୋସ୍ ଆଧାର ଦେଖାଯାଉ ନାହିଁ । ସେମାନେ କହିଛନ୍ତି, "ପାକିସ୍ତାନ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି, କିନ୍ତୁ ଆୟୋଜନରୁ ଓହରିବା କେବେବି ଏକ ବିକଳ୍ପ ନଥିଲା କିମ୍ବା ଏହା ଉପରେ ବିଚାର କରାଯାଇ ନଥିଲା । ପିସିବି ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନର ମ୍ୟାଚ୍ ପୂର୍ବରୁ ହିଁ ଏକ ନିରପେକ୍ଷ ସ୍ଥାନରେ ହେଉଛି, ଯେଉଁଠାରେ ସୁରକ୍ଷା ସମ୍ବନ୍ଧୀୟ କୌଣସି ଚିନ୍ତା ନାହିଁ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ କେବେବି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟରୁ ଓହରିବା ପାଇଁ ଧମକ ଦେଇନଥିଲା, ଏହି କଥା କେବଳ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।
ସୂଚନାଯୋଗ୍ୟ ଯେ, ବାଂଲାଦେଶ ପ୍ରସଙ୍ଗରେ ଆଇସିସି ବୁଧବାର ଦିନ ଭୋଟିଂ କରାଇଥିଲା, ଯେଉଁଥିରେ ୧୪ଟି କ୍ରିକେଟ ବୋର୍ଡ ଭାରତ ସପକ୍ଷରେ ଭୋଟ୍ ଦେଇଥିଲେ । ବାଂଲାଦେଶକୁ ମାତ୍ର ଦୁଇଟି ଭୋଟ୍ ମିଳିଥିଲା । ଏଭଳି ପରିସ୍ଥିତିରେ ଆଇସିସି ସ୍ପଷ୍ଟ କରିଦେଇଛି ଯେ ବାଂଲାଦେଶକୁ ନିଜର ଟି-୨୦ ମ୍ୟାଚ୍ ଭାରତରେ ହିଁ ଖେଳିବାକୁ ପଡ଼ିବ । ଯଦି ସେମାନେ ଏହା ନକରନ୍ତି, ତେବେ ଟି-୨୦ ବିଶ୍ୱକପରେ ବାଂଲାଦେଶ ସ୍ଥାନରେ ସ୍କଟଲ୍ୟାଣ୍ଡ ଟିମ୍ ଖେଳିବ। ଏବେ ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନିଜ ସରକାରଙ୍କ ସହ ଆଲୋଚନା କରିବେ । ସରକାରଙ୍କ ଅନୁମତି ପରେ ହିଁ ବାଂଲାଦେଶୀ ଦଳ ଟି-୨୦ ବିଶ୍ୱକପ୍ ଖେଳିପାରିବ।
ଆହୁରି ପଢ଼ନ୍ତୁ... କାଙ୍ଗାଳ ହୋଇପାରେ ବାଂଲା କ୍ରିକେଟ, ସହିବ କୋଟି କୋଟି ଟଙ୍କାର କ୍ଷତି
ଆଇସିସିର ଏହି ନିଷ୍ପତ୍ତିକୁ ବାଂଲାଦେଶ ଏବଂ ପାକିସ୍ତାନରେ ବିରୋଧ କରାଯାଉଛି । ପାକିସ୍ତାନର ପୂର୍ବତନ ୱିକେଟକିପର-ବ୍ୟାଟ୍ସମ୍ୟାନ କାମରାନ ଅକମଲ ଆଇସିସିର ନିଷ୍ପତ୍ତିରେ ନିରାଶା ପ୍ରକାଶ କରିଛନ୍ତି । କାମରାନ ଅଭିଯୋଗ କରିଛନ୍ତି ଯେ ଆଇସିସିର ଅଧିକାଂଶ ନିଷ୍ପତ୍ତି ଭାରତ ସପକ୍ଷରେ ଯାଇଥାଏ। ତାଙ୍କ କହିବା ଅନୁଯାୟୀ, ଯଦି ଚାମ୍ପିଅନ୍ସ ଟ୍ରଫିର ଭେନ୍ୟୁ ଭାରତ ପାଇଁ ବଦଳାଯାଇପାରୁଛି, ତେବେ ବାଂଲାଦେଶକୁ ମଧ୍ୟ ସେଭଳି ସୁବିଧା ମିଳିବା ଉଚିତ। କାମରାନଙ୍କ ମତରେ ଭାରତ ଆଇସିସିକୁ ସବୁଠାରୁ ଅଧିକ ଟଙ୍କା ଦେଇଥାଏ, ସେଥିପାଇଁ ନିଷ୍ପତ୍ତି ସବୁବେଳେ ସେମାନଙ୍କ ସପକ୍ଷରେ ଯାଏ।
ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ପରେ ବାଂଲାଦେଶ ଏବେ ଏକାକୀ ପଡ଼ିଯାଇଛି । ପାକିସ୍ତାନ ଉପରେ ଭରସା କରି ବାଂଲାଦେଶ ଯେଉଁ ଭୁଲ୍ କରିଛି, ତାହା କ୍ରିକେଟ ଇତିହାସରେ ଏକ ଶିକ୍ଷା ହୋଇ ରହିବ । ପାକିସ୍ତାନ ନିଜର ସୁବିଧା ଦେଖି ବାଂଲାଦେଶର ହାତ ଛାଡ଼ି ଦେଇଛି । ଏବେ ଦେଖିବାକୁ ବାକି ରହିଲା ବାଂଲାଦେଶ ସରକାର ନିଜ ସମ୍ମାନ ରକ୍ଷା କରୁଛନ୍ତି ନା ଖେଳ ପାଇଁ ଆଇସିସିର ସର୍ତ୍ତ ମାନି ଭାରତ ଗସ୍ତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/pakistan-3-2026-01-23-16-57-04.jpg)