କନକ ବ୍ୟୁରୋ: ଆଜି ଏସିଆ କପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପାକିସ୍ତାନ ଏବଂ ୟୁଏଇ । ବୁଧବାର ଏହି ମ୍ୟାଚ୍ ଦୁବାଇରେ ଖେଳାଯିବାକୁ ଅଛି । ତେବେ ଏହା ପୂର୍ବରୁ ପାକିସ୍ତାନ ଟିମର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ଟିମ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ନଖେଳିପାରେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ଟିମ୍ ଏବଂ ପିସିବି ଏସିଆ କପରୁ ହଟିବା ନେଇ ଶେଷ ନିଷ୍ପତ୍ତି ନେଇପାରେ । ଏନେଇ ପିସିବି ଅଧରାତିରେ ଏଖ ବୟାନ ଜାରି କରି କହିଛି ଯେ, ଟୁର୍ଣ୍ଣାମେଣ୍ଟରେ ରହିବା ନେଇ ଏବେ ବି ଚର୍ଚ୍ଚା ଆଲୋଚନା ଜାରି ରହିଛି ।

Advertisment

ତେବେ ବୁଧବାରର ମ୍ୟାଚ୍ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଏହି ମ୍ୟାଚ୍ ଜିତିବା ପାକିସ୍ତାନ ପାଇଁ ନିହାରି ଜରୁରୀ । ଆଉ ଏପରି ସମୟରେ ପାକିସ୍ତାନ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ରହିବ କି ନାହିଁ, ତାହା ପାକିସ୍ତାନର ହିତକୁ ଦେଖି ନିଷ୍ପତ୍ତି ନିଆଯିବ ।

ଜାଣିରଖିବା ଉଚିତ୍ ଯେ, ଭାରତ ବିପକ୍ଷରେ ପରାଜୟ ପରେ "ହ୍ୟାଣ୍ଡସେକ୍" ସମ୍ପର୍କିତ ବିବାଦ ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ଟିମ୍,  ୟୁଏଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ହେବାକୁ ଥିବା ଏହାର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଥିଲା । ତା ପରେ ବି ଦଳ ଠିକ୍ ଟାଇମରେ ନିଜର ଟ୍ରେନିଂ ସେସନରେ ଭାଗ ନେଇଥିଲା । ତେବେ ଯଦିଓ PCB ଆନୁଷ୍ଠାନିକ ଭାବରେ କହିନାହିଁ ଯେ, ଦଳ କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହିଁ, ତଥାପି ଚର୍ଚ୍ଚା ହେଉଛି ଏହାର କାରଣ ହେଉଛି ICC ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ପ୍ରତି ଥିବା ପାକିସ୍ତାନ ଟିମର ଅସନ୍ତୋଷ । PCB ଦାବି କରିଥିଲା ଯେ, ପାଇକ୍ରଫ୍ଟଙ୍କୁ ଏସିଆ କପ୍‌ର ବାକି ମ୍ୟାଚ୍‌ରୁ ହଟାଇ ଦିଆଯାଉ । ହେଲେ ଏସିଆ କପ୍ ମ୍ୟାନେଜମେଣ୍ଟ କିନ୍ତୁ ସେପରି କରିନଥିଲା ।

ସୂଚନାଯୋଗ୍ୟ ଯେ, ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିବାଦ ଆରମ୍ଭ ହୋଇଥିଲା । ଭାରତୀୟ କ୍ୟାପଟେନ୍ ଟସ୍ ସମୟରେ ଏବଂ ମ୍ୟାଚ୍ ଶେଷରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ପ୍ରତିବାଦ ସ୍ୱରୂପ, ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନାରେ ଯୋଗ ଦେଇ ନଥିଲେ ।