କନକ ବ୍ୟୁରୋ: ଭାରତ ସହ ମୁହାଁମୁହିଁ ଟକ୍କରରେ ହାରିବା ପରେ, ପାକିସ୍ତାନକୁ ଏବେ ଘାରିଛି ଭୟ । ତେଣୁ ଯଥାଶୀଘ୍ର ନିଜ ସେନାକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଲାଗିପଡ଼ିଛି ଆତଙ୍କୀସ୍ତାନ । ଏଥିପାଇଁ ପାକିସ୍ତାନ ଏବେ ତୁର୍କୀ ଆଉ ଚୀନ ଉପରେ ଭରସା କରିଥିବାବେଳେ, ଏନେଇ ଆସିଛି ବଡ଼ ଖବର ।
ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ଆର୍ମି ଏବଂ ଆଇଏସଆଇ ଏବେ ଚୀନ ଏବଂ ତୁର୍କୀଠାରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ଲିଷ୍ଟ୍ ପ୍ରସ୍ତୁତ କରିଛି । ଚୀନଠାରୁ ପାକିସ୍ତାନ ବହୁତ ପରିମାଣରେ ଗ୍ରାଉଣ୍ଡ୍ ବେସ୍ଡ ଲଞ୍ଚର୍ କିଣିବାକୁ ପ୍ରସ୍ତୁତ ହେଉଥିବାବେଳେ, ଚୀନ ପାଖରୁ ଘାତକ ଡ୍ରୋନ୍ କିଣିବାକୁ ଲକ୍ଷ୍ୟ ରଖିଛି ।
ଭାରତର ଅପରେସନ୍ ସିନ୍ଦୂର ପରେ ଏବେ ପାକିସ୍ତାନ ଚୀନ ଏବଂ ତୁର୍କୀର ଡ୍ରୋନ୍ ବ୍ୟବହାର କରୁଛି । ଆଉ ଚର୍ଚ୍ଚା ହେଉଛି ଯେ, ପିଓକେ ଅଞ୍ଚଳରେ ପୁଣି ନିଜର ସ୍ଥିତି ମଜଭୁତ କରିବାକୁ ପାକିସ୍ତାନ ଚେଷ୍ଟା ଚଳାଇଛି । ଖାଲି ସେତିକି ନୁହେଁ, ଚୀନର ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ପାକିସ୍ତାନର ଅଧିକାରୀଙ୍କୁ ଭେଟିବା ସହିତ ଏନେଇ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ତୁର୍କୀଠୁ ଡ୍ରୋନ୍ ପାଇବା ନେଇ ୨୦୨୧ ମସିହାରେ ହିଁ ଚୁକ୍ତି ସ୍ୱାକ୍ଷର କରିଥିଲା । ଯାହାକୁ ପୁଣିଥରେ ନବୀକରଣ କରିବାକୁ ମଧ୍ୟ ଆଲୋଚନା ଚାଲିଛି । ଏହାରି ଭିତରେ ପାକିସ୍ତାନର ସେନା ମୁଖ୍ୟ ଏବଂ ତୁର୍କୀର ସେନା ମୁଖ୍ୟଙ୍କ ଭିତରେ ମଧ୍ୟ ଜୁଲାଇ ମାସରେ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳୁଛି ।
ଜାଣିରଖିବା ଉଚିତ ଯେ, ପହଲଗାମ ଆକ୍ରମଣ ପରେ, ପାକିସ୍ତାନକୁ ପାନେ ଦେବାକୁ ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ପିଓକେ ଏବଂ ପାକିସ୍ତାନ ଭିତରେ ପଶି ଭାରତୀୟ ସେନା ଏୟାରଷ୍ଟ୍ରାଇକ୍ କରିବା ସହ ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଥିଲା ।