ଯୁଦ୍ଧ ବିରାମ ଘୋଷଣା ପରେ ବି ସୁଧୁରିନି ପାକିସ୍ତାନ ; ରାତି ଅଧରେ ପୁଣି କଲା ଡ୍ରୋନ ଆଟାକ୍

ସୀମାରେ ପୁଣି ଦେଖାଗଲା ଡ୍ରୋନ ।  ସାମ୍ବାରେ ଏକାଧିକ ଡ୍ରୋନକୁ ମାରି ଖସାଇଲା ସେନା । ରାତି ଅଧରେ ପୂରା ଅଞ୍ଚଳ ବ୍ଲାକ ଆଉଟ୍‌ । ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଏବଂ ଆଖପାଖ ଅଞ୍ଚଳକୁ ଉଡ଼ାଣ ବନ୍ଦ ରଖିଲେ ବିଭିନ୍ନ ଏୟାର ଲାଇନ୍ସ ।

Drone Attack

Drone Attack Photograph: (KanakNews)

କନକ ବ୍ୟୁରୋ: ପାକିସ୍ତାନର ଦୋମୁହାଁ ନୀତି । ଯୁଦ୍ଧ ବିରାମ ପରେ ବି ପୁଣି ସାମ୍ବାରେ ଦେଖାଗଲା ଡ୍ରୋନ। ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ସାମ୍ବାରେ ବିସ୍ଫୋରଣର ଶବ୍ଦ ଶୁଭିଥିବାର ଖବର ମଧ୍ୟ ଆସିଛି । ରାତିରେ ଡ୍ରୋନ ଦେଖାଯିବା ପରେ ସାମ୍ବାକୁ ବ୍ଲାକ ଆଉଟ୍ କରାଯାଇଥିଲା । ତେବେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ଏଭଳି ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ ପଠାଇ ସୀମାରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛି ପାକିସ୍ତାନ । ତେବେ ଭାରତୀୟ ଏୟାର ଡିଫେନ୍ସ ସମସ୍ତ ଡ୍ରୋନକୁ ସଫଳତାର ସହ ନଷ୍ଟ କରିଛି ।

ପାକିସ୍ତାନ ପଟୁ ଡ୍ରୋନ ଆକ୍ରମଣ ପରେ ଜମ୍ମୁ ଏବଂ ଅମ୍ରିତସରକୁ ଯାଉଥିବା ଅନେକ ବିମାନ ବାତିଲ ହୋଇଛି । ଅମ୍ରିତସର ଯାଉଥିବା ଇଣ୍ଡିଗୋ ବିମାନ ଅଧାବାଟରୁ ଦିଲ୍ଲୀ ଫେରି ଆସିଛି । ସେହିପରି ଜମ୍ମୁ, ଅମ୍ରିତସର, ଚଣ୍ଡୀଗଡ, ଲେହ, ଶ୍ରୀନଗର ଏବଂ ରାଜକୋଟକୁ ବିମାନ ଚଳାଚଳ ବନ୍ଦ କରିଛି ଇଣ୍ଡିଗୋ ଏୟାରଲାଇନ୍ସ। ଆଜି ଏହି ଗନ୍ତବ୍ୟସ୍ଥଳକୁ ଇଣ୍ଡିଗୋ ଏୟାରଲାଇନ୍ସର କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ଜାରି କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଏୟାରଲାଇନ୍ସ ମଧ୍ୟ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ୍, ଜାମନଗର, ଚଣ୍ଡୀଗଡ଼ ଏବଂ ରାଜକୋଟକୁ ବି ଆଜି ପାଇଁ ବିମାନ ଚଳାଚଳ ବନ୍ଦ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe