Pak Woman In Odisha : ମୋ ପିଲା ଛୁଆ ଏଇଠି, ପାକିସ୍ତାନ ଯାଇ କରିବି କ'ଣ ?

Advertisment

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୫ ବର୍ଷ ହେଲାଣି ସେ ପାକିସ୍ତାନ ଛାଡ଼ି ଭାରତରେ ଅବସ୍ଥାପିତ

Updated On

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୫ ବର୍ଷ ହେଲାଣି ସେ ପାକିସ୍ତାନ ଛାଡ଼ି ଭାରତରେ ଅବସ୍ଥାପିତ

ଅଦ୍ୟତନ ହୋଇଛି
Bolangir Pakistani Problem

Bolangir Pakistani Problem Photograph: (kanak News)

ବଲାଙ୍ଗୀର : ହାତ ଯୋଡ଼ୁଛନ୍ତି, ନେହୁରା ବି ହେଉଛନ୍ତି । ବାରମ୍ବାର ଗୋଟିଏ କଥା କହୁଛନ୍ତି, ମୁଁ ପାକିସ୍ତାନ ଯିବିନି । ସେଇଠି ନା ମୁଁ କାହାକୁ ଜାଣିଛି ନା କାହା ସହ କଥା ହୁଏ । ବାହାସାହା ହେଲି, ପିଲାଛୁଆ ସଂସାର ମୋର ଏଇଠି । ଏବେ ତଡ଼ିଲେ ମୁଁ ଯିବି କୁଆଡ଼େ । କଥା ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ କିଏ ସେ ମହିଳା ଜଣକ । କାହିଁକି ଏମିତି ନେହୁରା ହେଉଛନ୍ତି । କଣ ତାଙ୍କ ଅନୁରୋଧ ।

ସିଏ ହେଉଛନ୍ତି ଜଣେ ପାକିସ୍ତାନୀ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୫ ବର୍ଷ ହେଲାଣି ସେ ପାକିସ୍ତାନ ଛାଡ଼ି ଭାରତରେ ଅବସ୍ଥାପିତ । ନାଁ ତାଙ୍କର ସାରଦା କୁକ୍ରେଜା । ଏବେର ଘର ବଲାଙ୍ଗୀରରେ । ଦିନଥିଲା ସେ ପାକିସ୍ତାନୀ ଥିଲେ । ହେଲେ ବର୍ଷବର୍ଷ ଧରି ସେ ଭାରତରେ ରହିଲେଣି । ଖାଲି ଭାରତରେ ରହିଛନ୍ତି ତାହା ନୁହେଁ ବରଂ ଭାରତବାସୀ ବୋଲି ସେ କହିବାକୁ ପଛାଉନାହାନ୍ତି । ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଦେଶରେ ଥିବା ସବୁ ପାକିସ୍ତାନୀଙ୍କୁ ତଡ଼ିପାର କରିବାକୁ ନିର୍ଦ୍ଦେଶ ଦେବା ପରେ ସାରଦା ଏବେ ଚିନ୍ତାରେ । 

ସେଦିନ ଥିଲା ୧୯୮୬ ମସିହା । ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ ଜୀବନ ବଂଚାଇବା ପାଇଁ । ସାଙ୍ଗରେ ବାପା-ମାଆ, ଭାଇ-ଭଉଣୀ ସମସ୍ତେ ଆସିଥିଲେ । ସେବେ ପାକିସ୍ତାନୀରୁ ଆସିଥିବା ସମସ୍ତଙ୍କୁ ଭାରତୀୟ ନାଗରିକତାର ମାନ୍ୟତା ମିଳିଥିଲା । ହେଲେ ସାରଦା ସେଥିରୁ ବଞ୍ଚିତ ହୋଇଥିଲେ । ଧୀରେ ଧୀରେ ସେ ଭାରତରେ ରହିବାକୁ ଲାଗଲେ….ସଂସାର ବି କଲେ । ଏହାରି ଭିତରେ ୩୫ ବର୍ଷରୁ ଅଧିକ ହେଲାଣି । କେବେ ଏମିତି ସମସ୍ୟାର ସାମ୍ନା କରିନାହାନ୍ତି । ହେଲେ ଏବେ ପୁଲିସ୍‌ର ନୋଟିସ ମିଳିବା ପରେ ପୂରା ପରିବାର ଚିନ୍ତାରେ । ଯେହେତୁ ତାଙ୍କ କହିବା ଅନୁସାରେ, ପାକିସ୍ତାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ତେଣୁ ସେଠାକୁ କେମିତି ଯିବେ, କାହା ପାଖରେ ରହିବେ ସେନେଇ ପ୍ରଶ୍ନ ଉଙ୍କି ମାରୁଛି । 

ଦୀର୍ଘ ୩୫ ବର୍ଷ ତଳେ ବଲାଙ୍ଗୀରର ମହେଶ କୁକ୍ରେଜା ପାକିସ୍ତାନୀ ଝିଅ ସାରଦା କୁକ୍ରେଜାଙ୍କୁ ବାହା ହୋଇଥିଲେ । ବାହାଘରର ଦଶନ୍ଧି ଦଶନ୍ଧି ପରେ ବି ସାରଦା ଭାରତୀୟ ନାଗରିକତ୍ୱ ପାଇ ପାରିନାହାନ୍ତି । ଏବେ ବି ପାକିସ୍ତାନୀ ଭିସାରେ ରହୁଛନ୍ତି । ତେଣୁ ଏବେ ଟେନ୍‌ସନ୍‌ ବଢିଯାଇଛି । ହେଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସେ ଯିବେ କି ନାହିଁ ତାହା ବି ପ୍ରଶ୍ନ ଘେରରେ । 

କଥାହେଲା, କେବଳ ସାରଦା ନୁହନ୍ତି ବରଂ ଅନେକ ପାକିସ୍ତାନୀ ଭାରତରେ ଅଛନ୍ତି । ହେଲେ କେନ୍ଦ୍ରର ନିର୍ଦ୍ଦେଶ, ତୁରନ୍ତ ନିଜ ଦେଶକୁ ଚାଲିଯାଅ । ହେଲେ ସାରଦାଙ୍କ କ୍ଷେତ୍ରରେ ତାହା ସମ୍ଭବ ହେଉନି । ଏବେ ସାରଦାଙ୍କ ପରିବାର ଆଗାମୀ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 

(ବଲାଙ୍ଗୀରରୁ ଜ୍ୟୋସ୍ନାରାଣୀ ଦାସଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe